ଗାଁ ପାଖରେ ବୁଲୁଛି ଗୋଠଛଡ଼ା ଦନ୍ତା

ପାଟଣା, ୭।୫: କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ଗୁରୁବାର ବିଳମ୍ବିତ ରାତିରେ ଏକ ଗୋଠଛଡ଼ା ଦନ୍ତା ହାତୀ ପଶିଆସିଛି। ହାତୀଟି ଶୁକ୍ରବାର ସକାଳେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଶବ ବ୍ୟବଚ୍ଛେଦ କେନ୍ଦ୍ର ପର୍ଯ୍ୟନ୍ତ ଆସିଥିଲା। ପରେ ପାଟଣା ଇଲେକ୍ଟ୍ରି ସେକ୍ସନ ଅଫିସ ପାର୍ଶ୍ୱରେ ଯାଇ ବୈତରଣୀ ନଦୀ ପାର ହୋଇ ସାହାରପଡ଼ା ସେକ୍ସନ ରାଇଡିହା ବିଟ୍‌ ଧାନବେଣୀ ହୁଡ଼ିରେ ରହିଛି। ହାତୀଟି କାହାରି କିଛି କ୍ଷତି କରି ନ ଥିବା ବେଳେ ଧାନବେଣୀ ଓ ଖଜୁରଡ଼ିହା ଅଞ୍ଚଳରେ ଘୂରି ବୁଲୁଥିବା ଦେଖିବାକୁ ମିଳିଛି। ଫଳରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। କରଞ୍ଜିଆ ରେଞ୍ଜରୁ ହାତୀଟି ଚାଲି ଆସିଥିବା ବନ ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି। ଡେପୁଟି ରେଞ୍ଜର ଖଗେଶ୍ୱର ବାରିକ, ପାଟଣା ଫରେଷ୍ଟର ସନାତନ ମିଶ୍ର, ସାହାରପଡ଼ା ବନପାଳ ମୋହିନୀ ମହାନ୍ତ, ଗାର୍ଡ ନିରୂପମା ମହାକୁଡ଼, ତ୍ରିନାଥ ଜେନା, ପାରା ଷ୍ଟାଫ ଏମ୍‌ଡି ୱାସୀମ ପ୍ରମୁଖ ବନ କର୍ମଚାରୀ ହାତୀ ଘଉଡ଼ାଇବା କାର୍ଯ୍ୟ ଜାରି ରଖିଛନ୍ତି।

Share