ଦାନ୍ତ ପାଇଁ ହାତୀ ଶିକାର: ଡିଏଫ୍‌ଓ

ସମ୍ବଲପୁର,୨୪ା୬(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ପଡିଆବାହାଲ ରେଞ୍ଜ ଅନ୍ତର୍ଗତ ସାପଲହରା ଗ୍ରାମ ପୋଖରୀରେ ୬ଦିନ ମୃତ୍ୟୁ ସହ ସଂଗ୍ରାମ ପରେ ଚିକିତ୍ସାଧୀନ ଅବସ୍ଥାରେ ଗତ ମଙ୍ଗଳବାର ଦନ୍ତାହାତୀର ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ଦନ୍ତାକୁ ଗୁଳିକରି ଶିକାର କରାଯାଇଥିବା ସ୍ପଷ୍ଟ ହୋଇଛି। ଏହି ଘଟଣାରେ ବନ ବିଭାଗ ୩ ଶିକାରୀଙ୍କୁ ଅଟକ ରଖିଛି। ସେମାନଙ୍କଠାରୁ ଦେଶୀ ବନ୍ଧୁକ, ଗୁଳି, ଗୁଳି ତିଆରି ସାମଗ୍ରୀ, ଧନୁ, ତୀର, ଛୁରି, ଲୁହାଛଡ, ବିଦ୍ୟୁତ୍‌ ତାର ଜବତ ହୋଇଛି ବୋଲି ଡିଏଫ୍‌ଓ ଅଫିସରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଡିଏଫ୍‌ଓ ବିଶ୍ୱନାଥ ନୀଳାମ୍ବର ସୂଚନା ଦେଇଛନ୍ତି।
ସେ କହିଥିଲେ, ହାତୀ ମୃତ୍ୟୁ ପରେ ବ୍ୟବଚ୍ଛେଦ ହୋଇଥିଲା। ଆଗ ଗୋଡ ଉପରେ ପ୍ରାୟ ୪୦ ସିଏମ୍‌ ଭିତରକୁ ଗୁଳି ରହିଥିଲା। ଗୁଳିର ଦୈର୍ଘ୍ୟ ୪ ସେମି ଓ ପ୍ରସ୍ଥ ୨ ସେମି ରହିଥିଲା। ଗୁଳି ବାଜିଥିବାରୁ ଯେତେ ଚିକିତ୍ସା ପରେ ମଧ୍ୟ ହାତୀ ଚାଲିପାରୁ ନ ଥିଲା। ଶେଷରେ ତା’ର ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ପରେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ତେଣୁ ବନ ବିଭାଗ ସ୍ବତନ୍ତ୍ର ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା। ଘଟଣାରେ ଏ ପର୍ଯ୍ୟନ୍ତ ୩ ଜଣଙ୍କୁ ଅଟକ ରଖାଯାଇଛି। ଏମାନଙ୍କ ମଧ୍ୟରୁ ଜଣଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଯାଇଛି। ଏହି ଘଟଣାକୁ ଗୁରୁତର ସହ ନେଇ ଚଢାଉ କରାଯାଉଛି। ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା ଥିବାରୁ ଅଭିଯୁକ୍ତଙ୍କ ନାମ ଓ ଠିକଣା ଗୁପ୍ତ ରଖାଯାଇଛି। ସ୍ପଷ୍ଟ ହେବା ପରେ ସୂଚନା ଦିଆଯିବ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ମେ’ ୨୯ରେ ଆହତ ଦନ୍ତାକୁ ମୁର୍ଗାବାରି ଗ୍ରାମ୍ୟ ଜଙ୍ଗଲରେ ବନ ବିଭାଗ ଠାବ କରିବା ପରେ ଜୁନ୍‌ ୨ରୁ ଚିକିତ୍ସା ଆରମ୍ଭ ହୋଇଥିଲା। ଓୟୁଏଟି ଓ ସମ୍ବଲପୁର ବୁର୍ଲାର ଚିକିତ୍ସକ ଦଳ ଚିକିତ୍ସା କରିଥିଲେ। ଦନ୍ତା ଗୋଡରେ ଗଭୀର କ୍ଷତ ରହିଥିଲା। ତାକୁ ଟ୍ରାଙ୍କୁଲାଇଜ କରି ଇଞ୍ଜେକ୍‌ଶନ ଓ ଔଷଧ ଦିଆଯାଇଥିଲା। ଏପରିସ୍ଥଳେ ସାପଲହରା ଗ୍ରାମ ପୋଖରୀରେ ଗତ ୧୫ତାରିଖରେ ହାତୀଟି ଫସି ରହିଥିଲା। ମୃତ୍ୟୁର ୩ଦିନ ପୂର୍ବରୁ ହାତୀ ଖାଇବା ଛାଡି ଦେଇଥିଲା। କେବଳ ସାଲାଇନ ଓ ଔଷଧ ଦିଆଯାଉଥିଲା। ଏପରି କି ସାତକୋଶିଆରୁ ଡାକ୍ତର ଦଳ ଆସି ଚିକିତ୍ସା କରିଥିଲେ। ହାତୀ ମୃତ୍ୟୁ ନେଇ ବନ ବିଭାଗର ଅବହେଳାକୁ ଦାୟୀ କରାଯାଇଥିଲା।

Share