ବିଦ୍ୟୁତ୍‌ ଆଘାତରେ ଦନ୍ତା ହାତୀ ମୃତ

ଖୁଣ୍ଟୁଣୀ,୧୪ା୧(ଡି.ଏନ୍‌.ଏ.): କଟକ ଜିଲା ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ କାଦୁଆ ନୂଆଗଁା ଗ୍ରାମର ଏକ ଫାର୍ମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଶନିବାର ଦନ୍ତାହାତୀର ମୃତ୍ୟୁ ଘଟିଛି। ଫାର୍ମରେ ବେଆଇନ ବିଦ୍ୟୁତ୍‌ ତାର ଘେରାଇବା ଅଭିଯୋଗରେ ମାଲିକ କାଦୁଆ ନୂଆଗଁାର ଫଗୁ ସାହୁଙ୍କୁ ବନ ବିଭାଗ ଗିରଫ କରିଛି। ଏଥିସହ ବିଦ୍ୟୁତ୍‌ ତାର ଓ ସରଞ୍ଜାମ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଫାର୍ମରେ ଫଗୁ ଆଖୁଚାଷ କରିଥିଲେ। ହାତୀଙ୍କ କବଳରୁ ଆଖୁକୁ ରକ୍ଷା କରିବା ପାଇଁ ଫାର୍ମରେ ଜିଆଇ ତାର ଗୁଡାଇବା ସହ ସେଥିରେ ବିଦ୍ୟୁତ୍‌ ଚାର୍ଜ କରିଥିଲେ। ସକାଳେ ହାତୀଟି ଆଖୁ ଖାଇବାକୁ ଉକ୍ତ ଫାର୍ମକୁ ଆସିଥିଲା। ହଠାତ୍‌ ବିଦ୍ୟୁତ୍‌ ସଂଷ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ ଆଠଗଡ଼ ଡିଏଫଓ ଯଜ୍ଞଦତ୍ତ ପତି, ଖୁଣ୍ଟୁଣୀ ଫରେଷ୍ଟର ସରୋଜ କୁମାର ପଣ୍ଡା, ଯୁଗଳ ନାୟକ, ଏସିଏଫ୍‌ ଘନଶ୍ୟାମ ମୁଦୁଲି, ଆଠଗଡ଼ ପ୍ରାଣୀ ବିଶେଷଜ୍ଞ, ବନାଞ୍ଚଳର ହାତୀ ଟ୍ରାକର ଓ ବନସୁରକ୍ଷା ସମିତି ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଦ୍ୟୁତ୍‌ ଆଘାତରେ ହାତୀ ଶୁଣ୍ଢରେ କ୍ଷତ ସୃଷ୍ଟି ହେବା ସହ ମୃତ୍ୟୁ ଘଟିଥିବା ତଦନ୍ତବେଳେ ଜଣାପଡିଥିଲା। ଅପରାହ୍ନରେ ମୃତ ହାତୀର ବ୍ୟବଚ୍ଛେଦ କରାଯାଇ ଉକ୍ତ ସ୍ଥାନରେ ପୋତି ଦିଆଯାଇଛି ବୋଲି ଫରେଷ୍ଟର ପଣ୍ଡା କହିଚନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଉକ୍ତ ହାତୀ ବାହ୍ମଣବସ୍ତ ସଂରକ୍ଷିତ ଜଙ୍ଗଲରେ ବୁଲୁଥିବାବେଳେ ଗୋଡରେ କ୍ଷତ ସୃଷ୍ଟି ହୋଇଥିଲା। ବନ ବିଭାଗ ପକ୍ଷରୁ ଟ୍ରାଙ୍କୁଲାଇଜ କରାଯାଇ ଚିକିତ୍ସା କରାଯାଇଥିଲା। ପରେ ହାତୀକୁ ଜଙ୍ଗଲରେ ଛାଡି ଦିଆଯାଇଥିଲା।

Share