ରାଜପଥରେ ବୁଲିଲା ଦନ୍ତା

ନିରାକାରପୁର,୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳରେ ହାତୀପଲଙ୍କ ଉତ୍ପାତ ଦୀର୍ଘ ବର୍ଷ ହେଲା ରହିଆସିଛି। ବିଭିନ୍ନ ସମୟରେ ହାତୀପଲ ଖାଦ୍ୟ ପାଇଁ ଗାଁ ମୁହଁା ହେଉଛନ୍ତି । ରବିବାର ଅପରାହ୍ନରେ ୧୬ ନମ୍ବର ଜାତୀୟ ରାଜପଥର ବଡ଼ପୋଖରିଆ ଛକରେ ଏକ ଦନ୍ତା ହାତୀ ରାସ୍ତା ଉପରକୁ ଚାଲିଆସି ବୁଲୁଥିବା ଦେଖିବାକୁ ମିଳିଥିଲା। ହାତୀଟିକୁ ରାସ୍ତା ଉପରେ ଦେଖି ଗାଡ଼ିମୋଟର ସବୁ ଅଟକି ଯାଇଥିଲା। ଏପରିକି କେତେକ ବାଇକ୍‌ ଆରୋହୀ ହଠାତ୍‌ ରାସ୍ତାରେ ହାତୀକୁ ଦେଖି ଭୟଭୀତ ହୋଇପଡିଥିଲେ।

ଖବରପାଇ ଘଟଣାସ୍ଥଳରେ ଟାଙ୍ଗୀ ବନ ବିଭାଗ କର୍ମଚାରୀ ପହଞ୍ଚି ଘଉଡାଇବା ପରେ ହାତୀଟି ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲା। ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ଏନେଇ ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇଙ୍କୁ ପଚାରିବାରେ ଟାଙ୍ଗୀ ରେଞ୍ଜ ଅଧୀନସ୍ଥ କମାଗୁରୁ ଜଙ୍ଗଲରେ ୩ଟି ହାତୀ ରହିଥିବା ବେଳେ ଭୂଷଣ୍ଡପୁରରେ ଗୋଟିଏ ହାତୀ ରହିଥିବା ନେଇ ସେ ସୂଚନା ଦେବା ସହ ହାତୀର ଗତିବିଧି ଉପରେ ନଜର ରଖିଥିବା କହିଛନ୍ତି।

 

Share