ବଡ଼ପୋଖରୀଆରେ ହାତୀ ଉପଦ୍ରବ

ନିରାକାରପୁର,୨୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ଟାଙ୍ଗୀ ବନାଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଧାନ ଅମଳ ସମୟ ଯେତିକି ପାଖେଇ ଆସୁଛି ହାତୀ ଉପଦ୍ରବ ସେତିକି ମାତ୍ରାରେ ବଢ଼ିବାରେ ଲାଗିଛି। ଏହି ହାତୀପଲ ଦିନବେଳେ ପାଖରେ ଥିବା ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଗାଁ ଗଣ୍ଡାରେ ପଶି ବାଡ଼ିରେ ଲାଗିଥିବା ବିଭିନ୍ନ ଫସଲ ନଷ୍ଟ କରିବା ସହିତ ଧାନଜମିରେ ପଶି ଯେତିକି ଖାଉଛନ୍ତି ତା’ଠାରୁ ଅଧିକ ଦଳିଚକଟି ନଷ୍ଟ ଫସଲ ନଷ୍ଟ କରୁଛନ୍ତି। ଶନିବାର ସନ୍ଧ୍ୟାରେ ଭୂଷଣ୍ଡପୁର ବନଖଣ୍ଡ ଅନ୍ତର୍ଗତ ବଡ଼ପୋଖରୀଆ ଅଞ୍ଚଳରେ ୨୦ଟି ହାତୀ ରହି କାମାଗୁରୁ ରାସ୍ତାର ଥିବା ପୁରୁଣାଗଡ଼ ପୋଖରୀରେ ପାଣି ପିଇ ବଡ଼ପୋଖରୀଆ ଗ୍ରାମ ଆଡ଼କୁ ଯାଉଥିବା ଜଣାପଡ଼ିଛି। ଖବର ପାଇ ବନବିଭାଗ ପକ୍ଷରୁ ୨ଟି ପାଟ୍ରୋଲିଂ ଗାଡ଼ିରେ ଗଜସାଥୀଙ୍କ ସମେତ ୧୬ଜଣ ଷ୍ଟାଫ୍‌ ହାତୀର ଗତିବିଧି ଲକ୍ଷ୍ୟ କରି ଘଉଡ଼ାଇବାରେ ଲାଗିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ହାତୀପଲଙ୍କ ଗତିବିଧି ଦେଖି ୧୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ କରୁଥିବା ଲୋକେ ଭୟଭୀତ ହୋଇପଡ଼ିଛନ୍ତି।