କାଶୀନଗରରେ ହାତୀ ଉପଦ୍ରବ, ବଢୁଛି ଅସନ୍ତୋଷ

ପାରଳାଖେମୁଣ୍ଡି,୫ା୧୨(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ବ୍ଲକର ଅଲଡା, କୋଲା, ହରିପୁର, କରଣିଭଦ୍ରା ଆଦି ଅଞ୍ଚଳରେ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଧାନ ଅମଳ ସମୟ। ଏଭଳି ସ୍ଥତିରେ ଦୁଇଟି ହାତୀ ଚାଳିଆସି ପାଚିଲା ଧାନ ଖାଇବା ସହିତ ଦଳି ଚକଟି ନଷ୍ଟ କରି ଦେଉଥିବା ଅଭିଯୋଗ ହୋଇଛି। ଏନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷେ ସ୍ଥାନୀୟ ଲୋକେ ହାତୀକୁ ଘଉଡ଼ାଇବା ପାଇଁ ବାଜା ବଜାଇ, ବାଣ ଫୁଟାଉ ଥିବାରୁ ଏଥିରେ ହାତୀ ଭୟଭୀତ ହୋଇ ଏତେତେଣେ ବୁଳିବା ସହ ଅଧିକ ନଷ୍ଟ କରୁଛନ୍ତି। ହାତୀ ବୁଲୁଥିବା ସ୍ଥାନକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ବନ୍ଦ କରାଯାଉଥିବାରୁ ଲୋକେ ହଇରାଣ ହେଉଛନ୍ତି। ବନ ବିଭାଗ କର୍ମଚାରୀ ହାତୀଙ୍କ ସୁରକ୍ଷା ପାଇଁ ସଜାଗ ଥିବା ସହ ଗତିବିଧି ଉପରେ ନଜର ରଖିଛନ୍ତି ବୋଲି କାଶୀନଗର ବନାଞ୍ଚଳ ଅଧିକାରୀ ସୁଧୀର କୁମାର ବେହେରା କହିଛନ୍ତି।

Share