Advertisement

ମହିଳାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଲା ହାତୀ

ଟେନସା,୯।୩(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜଲା କୋଇଡ଼ା ରେଞ୍ଜ ଅଧୀନ କାଳଟା ପଞ୍ଚାୟତ ଅନ୍ତର୍ଗତ ଗାଁରେ ଏକ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ କୁଣ୍ଡୁପୋଖରୀ ଗାଁର ଅତୁଆରୀ ବୋଦ୍ରା(୩୮)।

ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ ଗାଁକୁ ଏକ ହାତୀପଲ ପଶି ଆସିଥିଲା। ଗ୍ରାମବାସୀ ହାତୀକୁ ଘଉଡାଇବା ବେଳେ ଜୀବନ ବଞ୍ଚାଇବାକୁ ଅତୁଆରୀ ଘରୁ ବାହାରି ଦୌଡ଼ି ପଳାଉଥିଲେ। ସେତିକିବେଳେ ସେ ଏକ ହାତୀ ହାବୁଡ଼ରେ ପଡି ଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଅତୁଆରୀଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷେ ମୃତକଙ୍କ ପରିବାର ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ଟଙ୍କା କ୍ଷତିପୂରଣ ଯୋଗାଇ ଦିଆଯାଇଛି। ପରବର୍ତ୍ତୀ ସମୟରେ ଆବଶ୍ୟକ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି କୋଇଡା ରେଞ୍ଜର ଗୌତମ ପ୍ରଦାନ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share