Categories: ଦେବଗଡ଼

ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ନଷ୍ଟକଲେ ଫସଲ

ଦେବଗଡ଼, ୧୭ା୧୨ (ଡି.ଏନ.ଏ)-ମଙ୍ଗଳବାର ରାତ୍ରିରେ ୨୨ଟି ହାତୀ ବାରକୋଟ ଫରେଷ୍ଟ ରେଞ୍ଜ ଓ ବଳମ ଫରେଷ୍ଟ ସେକ୍ସନ ଅଞ୍ଚଳରେ ଉପଦ୍ରବ କରିଛନ୍ତି। ଏହି ସେକ୍ସନର ବଡଛାପଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘଘର ଗ୍ରାମରେ ପଶି ୨ଟି ଘର ଭାଙ୍ଗି ଧାନ, ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଖାଇଦେବା ସହ ମାଡିଦଳି ବହୁ କ୍ଷୟକ୍ଷତି ଘଟାଇଥିବା ଜଣାପଡିଛି। ଘଘର ଗ୍ରାମରେ ପଶି ମକା ଭୋଇଙ୍କ ଘରର ଏକ କାନ୍ଥ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଦେବା ସହ ଘରେ ଥିବା ଧାନ ଓ ଚାଉଳ ସମେତ ଅନ୍ୟାନ୍ୟ ଖାଦ୍ୟଶସ୍ୟ ଆଦି ଖାଇଦେବା ସହ ମାଡିଦଳି ନଷ୍ଟ କରିଥିଲେ ା ଏପରିକି ତାମ୍ବି, ଡେକଚି, କଡେଇ, କଂସା ବାସନ ଓ ସାଇକେଲ ଆଦି ମାଡି ଭାଙ୍ଗିଦେଇଥିଲେ। ହାତୀ ଭୟରେ ପରିବାର ସହ ବାହାରକୁ ଧାଇଁଯାଇ ମକା ନିଜର ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। ସେହିପରି ଉକ୍ତ ଗ୍ରାମର ବୁଧୁ ପ୍ରଧାନଙ୍କ ଘରର ଝରକା ଓ ଆଜବେଷ୍ଟସ ଛାତ ଭାଙ୍ଗି ଘର ଭିତରେ ଥିବା ଧାନ ଓ ଚାଉଳ ଆଦି ଖାଇଦେଇଥିଲେ ା ଉକ୍ତ ହାତୀଦଳ ନିକଟରେ ଥିବା ପ୍ରେମାନନ୍ଦ ନାୟକଙ୍କର ବଗିଚାରେ ପଶି ବିସ୍ତୀର୍ଣ୍ଣ ଅଞ୍ଚଳରେ ହୋଇଥିବା କାକୁଡି, ଝୁଡଙ୍ଗ ଓ ଆଳୁ ଫସଲ ନଷ୍ଟ କରିଦେଇଥିଲେ। ଏହା ପରେ ଗ୍ରାମବାସୀ ମିଳିତ ଭାବେ ଉକ୍ତ ହାତୀଦଳକୁ ଘଉଡାଇବାରୁ ହାତୀଦଳ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ। ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଗ୍ରାମବାସୀ ଏ ସମ୍ପର୍କରେ ବାରକୋଟ ଫରେଷ୍ଟ ରେଞ୍ଜ ଅଫିସର ଜୟଶ୍ରୀ ମୁର୍ମୁଙ୍କୁ ଅଭିଯୋଗ କରିବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟଗାର୍ଡ ଗୀତାଞ୍ଜଳୀ ବିଶ୍ୱାଳ ଉକ୍ତ ଗ୍ରାମକୁ ଯାଇ କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ବଡଛାପଲ ସରପଞ୍ଚ ଅଜିତ ଭୋଇ ଓ ପୂର୍ବତନ ସରପଞ୍ଚ ଠକଲାଲ ଠାକୁର କ୍ଷତିଗ୍ରସ୍ତଙ୍କ ଘରକୁ ଯାଇ ସେମାନଙ୍କର ଦୁଃଖ ବୁଝିଥିଲେ। ଏହି ଅବସରରେ ସରପଞ୍ଚ ଭୋଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ କିଛି ଚାଉଳ ପ୍ରଦାନ କରିବା ସହ ବନ ବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ଜଣାଇଛନ୍ତି। ଅନ୍ୟପକ୍ଷରେ ମୁଣ୍ଡ ଗୁଞ୍ଜିବା ପାଇଁ ବାସଶୂନ୍ୟ ମକା ଭୋଇଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଏକ ଆବାସ ଯୋଗାଇଦେବାକୁ ଦାବି ଜଣାଇଛନ୍ତି।