ଲାଠୋରରେ ହାତୀ ଉପଦ୍ରବ

ଲାଠୋର, ୩ା୧୨(ଡି.ଏନ.ଏ.) ବଲାଙ୍ଗୀର ଜିଲା ଲାଠୋର ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ବନାଞ୍ଚଳ ଅଧୀନ ବେନ୍ଦେର ସଂରକ୍ଷଣ ଜଙ୍ଗଲରୁ ହାତୀପଲ ଆସି ଉପଦ୍ରବ କରୁଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଛନ୍ତି। ଗତ ୧୫ ଦିନ ହେବ ଉପଦ୍ରବ ଚଳାଇଥିବା ପଲରେ ଛୋଟବଡ ୨୯ଟି ହାତୀ ରହିଛନ୍ତି। ଦିନ ବେଲା ମାଗୁର ପାହାଡ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ହେଲା ମାତ୍ରେ ଜଙ୍ଗଲ ତଳି ଚାଷ ଜମିରେ ପଶି ଫସଲ ଖାଉଛନ୍ତି। ବେଳେ ବେଳେ ଲାଠୋର-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାକୁ ସେମାନେ ପଲାଇ ଆସୁଛନ୍ତି। ହାତୀପଲଙ୍କ ସ୍ଥିତି ଅନୁଧ୍ୟାନ ପାଇଁ ଦୁଇଦିନ ତଳେ ଏସିଏଫ ବାବାଜୀ ଚରଣ ରାଉଳ ଆସି ଫେରିଥିଲେ ମଧ୍ୟ ସେମାନଙ୍କୁ ଘଉଡା ଯାଇ ପାରିନାହିଁ। ଏନେଇ ଲାଠୋର ବନାଞ୍ଚଳ ଅଧିକାରୀ ପ୍ରଭାତୀ ସେଠଙ୍କୁ ପଚାରିବାରୁ କହିଛନ୍ତି ଯେ, ଲୋକଙ୍କ ସୁରକ୍ଷା ସହ ହାତୀପଲର ସୁରକ୍ଷା ପାଇଁ ବନ ବିଭାଗ ସଜାଗ ରହିଛି। ସୁରକ୍ଷିତ ଭାବେ ହାତୀକୁ ଘଉଡାଇବାର ପ୍ରୟାସ ଜାରି ରଖିଛୁ।