ରାଉତପଡ଼ାରେ ହାତୀ ଉପଦ୍ରବ : ଗ୍ରାମବାସୀ ଭୟଭୀତ

ରୂପ୍‌ସା,୯।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ଓ ରାଉତପଡ଼ା ପଞ୍ଚାୟତ ଓଡ଼ିଆଶାସନ, କୂଳ ବାରମାଣିଆ, ଭରଡ଼ାପାଳ ଆଦି ମୌଜାରେ ଶିମିଳିପାଳରୁ ୭ ଜଣିଆ ହାତୀପଲ ଆସି ନଦୀ ପାଖ ଜଙ୍ଗଲ ଭିତରେ ରହିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ମଙ୍ଗଳବାର ଓ ବୁଧବାର ୨ଦିନ ଧରି ଏକ ଦନ୍ତା ହାତୀ ଚାଷ ଜମିରେ ବୁଲୁଥିବା ଦେଖି ଗାଁ ଲୋକେ ବନବିଭାଗକୁ ଖବର ଦେଇଥିଲେ। ନୀଳଗିରି ଫରେଷ୍ଟରଙ୍କ ସମେତ ବିଭାଗୀୟ କର୍ମଚାରୀ ପହଞ୍ଚତ୍ ଗାଁ ଲୋକଙ୍କ ସହ ହାତୀଟିକୁ ଘଉଡ଼ାଇବାରେ ବିଫଳ ହୋଇଥିଲେ। ଅପରପକ୍ଷରେ ରୂପ୍‌ସା ବିଦ୍ୟୁତ୍‌ ସେକ୍ସନ ହାତୀ ଉପଦ୍ରବ ରୋକିବା ପାଇଁ ସମ୍ପୂର୍ଣ୍ଣ ରୂପ୍‌ସା ଅଞ୍ଚଳକୁ ରାତି ତମାମ୍‌ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବାରୁ ଗ୍ରାମବାସୀ ଏକପ୍ରକାର ଭୟଭୀତ ଅବସ୍ଥାରେ ରହିଥିଲେ। ରବିବାର ପୁଣି ଏହି ଦନ୍ତା ହାତୀକୁ ଲୋକେ ଦେଖିଥିଲେ। ବନବିଭାଗ କର୍ମଚାରୀ ପହଞ୍ଚିଥିଲେ ହେଁ କୂଳଗାଁ ଭିତରକୁ ପଶିବାକୁ ହାତୀଟି ଉଦ୍ୟମ କରୁଥିବା ବେଳେ ଗାଁ ଲୋକେ ଘଉଡ଼ାଇଥିଲେ। ବାଉଁଶ ନଦୀ ପାଖ ଜଙ୍ଗଲରେ ଅପରାହ୍ନରେ ଅନ୍ୟ ୨ଟି ହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା। ତେବେ ଶିମିଳିପାଳରୁ ୭ଟି ହାତୀ ମୟୂରଭଞ୍ଜ ସୀମା ଦେଇ ପ୍ରବେଶ କରି ଏହି ଅଞ୍ଚଳରେ ୫୦ରୁ ଉର୍ଦ୍ଧ୍ୱ ଏକର ପାଚିଲା ଧାନକ୍ଷେତ ନଷ୍ଟ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।