ସରଡିହାରେ ହାତୀପଲଙ୍କ ଉତ୍ପାତ

ବସ୍ତା, ୨୬ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକରେ ହାତୀପଲ ଉପଦ୍ରବ ଚଳାଇଛନ୍ତି। ୪ଦିନ ପୂର୍ବରୁ ରାସଗୋବିନ୍ଦପୁର ବ୍ଲକର ବିଭିନ୍ନ ଗ୍ରାମରେ ହାତୀପଲ ଉତ୍ପାତ କରିବା ସହିତ ବ୍ୟାପକ ନଷ୍ଟ କରୁଥିବା ଦେଖିବାକୁ ମିଳିଥିଲା। ମୟୂରଭଞ୍ଜ ବନବିଭାଗ ପକ୍ଷରୁ ଘଉଡ଼ାଇ ଦିଆଯିବା ପରେ ଏହି ହାତୀପଲ ଏବେ ବାଲେଶ୍ୱର ଜିଲା ସୀମାନ୍ତ ଗ୍ରାମ ମଧ୍ୟକୁ ପ୍ରବେଶ କରିଛନ୍ତି। ଶୁକ୍ରବାର ରାତିରେ ହାତୀପଲ ମୟୂରଭଞ୍ଜ ସୀମାନ୍ତ ଗ୍ରାମ କମାରଡିହା ପଞ୍ଚାୟତର ମଣ୍ଡାଭାଟି ଗ୍ରାମଦେଇ ପଶି ବସ୍ତା ବ୍ଲକ ପତ୍ରଝଡ଼ା ପଞ୍ଚାୟତର ସରଡିହା ଗ୍ରାମ ନିକଟରେ ରହିଛନ୍ତି। ଶନିବାର ସକାଳେ ସେମାନେ ଏହି ପଞ୍ଚାୟତର ସରଡିହା , ନାଭ , ପାଇକପଡ଼ା ଗ୍ରାମର ଚାଷ ହୋଇଥିବା ଧାନ ଜମିକୁ ନଷ୍ଟ କରିବା ସହିତ ପରିବା ଚାଷକୁ ନଷ୍ଟ କରିଛନ୍ତି। ହତୀପଲରେ ୧୧ଟି ହାତୀଥିବା ବେଳେ ସେମାନଙ୍କ ମଧ୍ୟରେ ଦୁଇଟି ଛୁଆ ହାତୀ ଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କଲେ ମଧ୍ୟ ସେମାନେ ଯାଉ ନ ଥିବା ଗ୍ରାମବାସୀ କହିଛନ୍ତି। ଖବରପାଇ ବାଲେଶ୍ୱର ବନ ବିଭାଗ ପକ୍ଷରୁ ଫରେଷ୍ଟର ବିବେକାନନ୍ଦ ଜେନାଙ୍କ ସମେତ ବନ କର୍ମଚାରୀ ହାତୀପଲ ରହୁଥିବା ଅଞ୍ଚଳରେ ଜଗିରହି ହାତୀଙ୍କ ଗତିବିଧି ଉପରେ ଦୃଷ୍ଟି ରଖିଛନ୍ତି। ହାତୀମାନେ ଲୋକଙ୍କୁ ଦେଖି ଗୋଟିଏ ଜାଗାରେ ଛିଡ଼ା ହୋଇ ରହୁଥିବା ବେଳେ ରାତିରେ ସେମାନେ ବ୍ୟାପକ କ୍ଷତି କରୁଛନ୍ତି।