ହାତୀ ଶିକାର ଘଟଣାର ସିବିଆଇ ତଦନ୍ତ ଦାବି

ବାରିପଦା ଅଫିସ,୨୯ା୧୨: ମୟୂରଭଞ୍ଜ ଜିଲାର ଶୋଭା ବର୍ଦ୍ଧନ କରୁଥିବା ଜାତୀୟ ଅଭୟାରଣ୍ୟ ‘ଶିମିଳିପାଳ ବଞ୍ଚାଅ’ ଅଭିଯାନକୁ ନେଇ ଅଗ୍ରଣୀ ଅଣ ରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ଗୁରୁବାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଭୟାରଣ୍ୟରେ ହାତୀଶିକାର ଓ ପ୍ରମାଣ ନଷ୍ଟ ଘଟଣାରେ ସବିଆଇ ତଦନ୍ତ ଦାବି କରିଛି ସଂଗଠନ। ହାତୀ ଶିକାର କରିଥିବା ଅଧିକାରୀଙ୍କଠାରୁ ମୂଲ୍ୟବାନ ଦାନ୍ତ ଦ୍ବୟ ଜବତ କରା ନ ଯିବା ଓ ବାଘ ଚମଡ଼ା ଘଟଣାରେ କେଉଁମାନେ ଜଡ଼ିତ ରହିଛନ୍ତି ତା’ର ଖୁଲାସା କରିବାକୁ ଦାବି କରିଛନ୍ତି। ଏ ନେଇ ଜିଲା ପ୍ରଶାସନ ଜରିଆରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ ଘଟଣାର ସିବିଆଇ ତଦନ୍ତ ଭାର ଗ୍ରହଣ ନ କରିବାରୁ ଆଜି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ତେବେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କର୍ମକର୍ତ୍ତାମାନେ କଡ଼ା ଚେତାବନୀ ଦେଇଥିଲେ।

Share