ହାତୀ କଙ୍କାଳ ମାମଲା: ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର,୨୬ା୭(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ଧମା ରେଞ୍ଜ ଅଧୀନ କୋଲଗାଁ ଓ ତବଲେଇ ଜଙ୍ଗଲରୁ ରବିବାର କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ୨ ସ୍ଥାନରୁ ହାତୀ କଙ୍କାଳ ଜବତ କରିଥିଲା। ଏହି ଘଟଣାରେ ବନ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ୭ଖଣ୍ଡ ହାଡ଼ ଜବତ କରି ଓୟୁଏଟି ଲାବ୍‌କୁ ପଠାଯାଇଛି। ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଡିଏଫ୍‌ଓ ବିଶ୍ୱନାଥ ନୀଳାମ୍ବର କହିଛନ୍ତି।
ସେ ଆହୁରି କହିଛନ୍ତି, ଏସ୍‌ଟିଏଫ୍‌ ପକ୍ଷରୁ ସୂଚନା ପାଇବା ପରେ ଚଢାଉରେ ବନ ବିଭାଗର ୩ ଟିମ୍‌ ସାମିଲ ହୋଇ ସହଯୋଗ କରିଥିଲେ। ଦୁଇଟି ସ୍ଥାନରୁ ହାଡ଼ ଓ ପାଉଁଶ ଜବତ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଗୋଟିଏ ହାତୀକୁ ଦୁଇଟି ସ୍ଥାନରେ ପୋଡାଯାଇଥିବା ସନ୍ଦେହ କରାଯାଉଛି। ଘଟଣାରେ ବନ ବିଭାଗ କର୍ମଚାରୀ, ଶିକାରୀ କିମ୍ବା ଯେ କେହି ସମ୍ପୃକ୍ତ ଥିବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

Share