ସାହାଜଖୋଲରେ ପଶିଲା ଗୋଠଛଡ଼ା ଦନ୍ତା

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ସାହାଜ ଖୋଲ ସଂରକ୍ଷିତ ଜଙ୍ଗଲରେ ପଡୋଶୀ ନବରଙ୍ଗପୁର ଜିଲା ପଟୁ ଏକ ଗୋଠଛଡ଼ା ଦନ୍ତା ହାତୀ ପଶି ଆସିଥିବା ଜଣାପଡିଛି। ଏନେଇ ଧର୍ମଗଡ଼ ବନ ବିଭାଗ ରେଞ୍ଜର ଭବାନୀ ଶଙ୍କର କାଉରଙ୍କ ନେତୃତ୍ୱରେ ଅଧିକାରୀମାନେ ଜଙ୍ଗଲର ବିଭିନ୍ନ ଅଞ୍ଚଳରେ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି। ହେଲେ ହାତୀର ସନ୍ଧାନ ମିଳିପାରି ନାହିଁ।

ମିଳିଥିବା ସୂଚନା ମୁତାବକ, ନବରଙ୍ଗପୁର କଳାହାଣ୍ଡି ସୀମାନ୍ତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଭିତରେ ମୈଦଲପୁର ଥାନା ଗାଦବାକାତରା ପଞ୍ଚାୟତ ଖୁଡ଼ ଜଙ୍ଗଲ ପଟୁ ଏକ ହାତୀ ପ୍ରବେଶ କରିଥିବା ନେଇ ବନ ବିଭାଗକୁ ସୂଚନା ମିଳିଛି। କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ ଏକ ହାତୀ ନବରଙ୍ଗପୁର ଜିଲା ସୀମାକୁ ଚାଲି ଆସିଥିଲା। ନବରଙ୍ଗପୁର ବନ ବିଭାଗ ପକ୍ଷରୁ ହାତୀକୁ ଘଉଡ଼ାଇ ଦିଆଯାଇଥିବା ବେଳେ ଦନ୍ତା ବାଟ ଭୁଲି ବୁଧବାର ମୈଦଳପୁର ଜଙ୍ଗଲରେ ରହି ଯାଇଥିଲା। ହାତୀଟି ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ଲେଖାଆମରେ ଥିବା ଅନୁମାନ କରୁଛି ବନ ବିଭାଗ। ଏନେଇ ଆମପାଣି ବନପାଳ ମନୀଷା ପଟ୍ଟନାୟକ ଏକ ଟିମକୁ ନେଇ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଭିତରୁ ଯାଇ ନିକଟବର୍ତ୍ତୀ ଗାଁ ଲେଖାଆମ, ସର୍ଗୀପାଣି, ଝୁଲେନବର, କନ୍ଦାଗଡ଼, ଟର୍ଲିଆମ, ଗାଈବନ୍ଧା, କୁଟରୁ ଗାଁକୁ ଯାଇ ସ୍ଥାନୀୟ ଗ୍ରାମବାସୀମାନଙ୍କୁ ଘରୁ ନ ବାହାରିବା ପାଇଁ ସତର୍କ ସୂଚନା ଦେଇଛନ୍ତି। ହାତୀଙ୍କୁ ଦେଖିଲେ ତୁରନ୍ତ ବନ ବିଭାଗକୁ ଖବର ଦେବାକୁ ଗ୍ରାମବାସୀଙ୍କୁ କହିଛନ୍ତି।