ପାଟଣା,୧୬ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡ ବିଟ୍ ଅଧୀନ ରହଣୀଦୁମା ଗାଁ ନିକଟରେ ଏକ ଗୋଠଛଡ଼ା ଦନ୍ତାହାତୀ ବୁଲୁଥିବା ଦେଖିବାକୁ ମିଳିଛି। ଏନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ହାତୀଟି ଠାକୁରମୁଣ୍ଡା ରେଞ୍ଜରୁ ବୁଧବାର ରାତିରେ ଚାଲିଆସି ଚାଷ ଜମିରେ ପଶି ଫସଲ ନଷ୍ଟ କରୁଛି। ଏପରିକି ଗାଁ ନିକଟରେ ହାତୀଟି ବୁଲୁଥିବାରୁ ବଣମହୁଲଡିହା, ପିଛୁଳାବେଡାର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
ଗୁରୁବାର ରାତିରେ ହାତୀଟି ବାଲିଯୋଡି ନିକଟରେ ବନ ବିଭାଗର ଗାଡିକୁ ଅଟକାଇଥିଲା। ପରେ ବନ କର୍ମଚାରୀ ହାତୀକୁ ଘଉଡାଇ ଥିଲେ। ଅନ୍ୟପକ୍ଷେ ପାଟଣା ବନପାଳ ଚିତ୍ତରଞ୍ଜନ ପରିଡା, ଗାର୍ଡ ପ୍ରଯୁକ୍ତା ଜେନା ପ୍ରମୁଖ ହାତୀର ଗତିବିଧି ଉପରେ ନଜର ରଖିବା ସହ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି।