ପୋଖରୀରେ ଫସିଲା ହାତୀ, ୫ ଘଣ୍ଟା ପରେ ଉଦ୍ଧାର

ଭବାନୀପାଟଣା/ଲାଞ୍ଜିଗଡ଼,୨୪।୧୦(ସ୍ବ.ପ୍ର/ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ହାତୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିଚାଲି ଥିବା ବେଳେ ସନ୍ଧ୍ୟା ହେଲେ ହାତୀପଲ ଗାଁ ମୁହାଁ ହେଉଛନ୍ତି। ସେତିକିବେଳେ ହାତୀପଲ ଫସଲ ନଷ୍ଟ କରିବା ସହ ଲୋକଙ୍କ ଘର ଦ୍ବାର ଭାଙ୍ଗି ଦେଉଛନ୍ତି। ରବିବାର ବିଳମ୍ବିତ ରାତିରେ ଏକ ହାତୀପଲ ବିଶ୍ବନାଥପୁର ରେଞ୍ଜ ଅଧୀନ କିଡିଙ୍ଗ ଗାଁ ନିକଟସ୍ଥ ଖରଡିଆପଡାକୁ ଆସିଥିବା ବେଳେ ଏକ ହାତୀ ଗାଁ ପୋଖରୀରେ ଫସି ଯାଇଥିଲା। ସୋମବାର ସକାଳୁ ଗାଁ ଲୋକେ ଶୌଚ ପାଇଁ ଯାଇଥିବା ବେଳେ ପୋଖରୀରେ ହାତୀ ଫସି ରହିଥିବା ଦେଖିବାକୁ ପାଇଥିଲେ। ଏନେଇ ଗ୍ରାମବାସୀ ବିଶ୍ବନାଥପୁର ରେଞ୍ଜର ନରୋତ୍ତମ ମାଝିଙ୍କୁ ଖବର ଦେଇଥିଲେ। ଖବର ପାଇ ରେଞ୍ଜର ମାଝିଙ୍କ ସହ ବନବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ ହାତୀକୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ହାତୀଟି ଜଙ୍ଗଲ ଭିତରକୁ ଚାଲି ଯାଇଥିବା ରେଞ୍ଜର ମାଝି କହିଛନ୍ତି।

Share