ଷ୍ଟେଶନକୁ ହଠାତ ପଶି ଆସିଲା ହାତୀ, ଜୀବନ ଭୟରେ ଦୌଡିଲେ ଯାତ୍ରୀ, ଦେଖନ୍ତୁ ଭାଇରାଲ ଭିଡ଼ିଓ…

ହାଇଦ୍ରାବାଦ,୩୦।୧୦ : ଆନ୍ଧ୍ରପ୍ରଦେଶର ପାର୍ବତୀପୁରାମରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଏକ ହାତୀ ରେଳ ଷ୍ଟେଶନରେ ବୁଲୁଥିବାର ନଜର ଆସିଛି। ପାର୍ବତୀପୁରମ ରେଳ ଷ୍ଟେଶନର ପ୍ଲାଟଫର୍ମରେ ହାତୀ ବୁଲୁଥିବାର ଦେଖାଯାଉଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

ସୂଚନାନୁସାରେ, ପାର୍ବତୀପୁରର ଏହି ରେଳ ଷ୍ଟେଶନରେ ହଠାତ ଏକ ହାତୀ ପଶି ଆସିଥିଲା। ହାତୀ ପ୍ଲାଟଫର୍ମରେ ଘୁରି ବୁଲୁଥିବାର ଦେଖି ଲୋକମାନେ ଭୟଭୀତ ହୋଇ ପାଟି କରିବା ସହ ଜୀବନ ବିକଳରେ ଏଣେତେଣେ ଦୌଡିବାକୁ ଲାଗିଥିଲେ। କିଛି ଲୋକ ପ୍ଲାଟଫର୍ମରେ ହାତୀ ବୁଲୁଥିବା ଭିଡିଓ କରିବା ଆରମ୍ଭ କରିଥିଲେ। ରବିବାର ଦିନ ଏହି ଘଟଣା ଘଟିଥିବା କୁହାଯାଉଛି। ଏହାର ଭିଡିଓ ରବିବାର ସନ୍ଧ୍ୟାରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଏକ ରିପୋର୍ଟ ଅନୁଯାୟୀ, କିଛି ସମୟ ପୂର୍ବରୁ ଗାରୁଗୁବିଲି ମଣ୍ଡଳର ଗୋଟିଭାଲାସା ଗ୍ରାମ ନିକଟରେ ଫସଲ କ୍ଷେତ ନିକଟରେ ଏକ ହାତୀ ପଲ ବୁଲୁଥିବାର ଦେଖାଯାଇଥିଲା। କୃଷକମାନେ ସେମାନଙ୍କୁ ପୁନର୍ବାର ଜଙ୍ଗଲକୁ ପଠାଇବାକୁ ଚେଷ୍ଟା କରିଥିଲେ। ଯେଉଁଥିରେ ସେମାନେ ସମ୍ପୂର୍ଣ୍ଣ ସଫଳ ହୋଇ ନ ଥିଲେ। ହାତୀ ପଲରୁ ଅଲଗା ହୋଇ ଗୋଟିଏ ହାତୀ ରେଳ ଷ୍ଟେଶନକୁ ପଶି ଆସିଥିବା ଅନୁମାନ କରାଯାଉଛି। ଖବର ପାଇ ବନ୍ୟ ପ୍ରାଣର ବିଭାଗ ପକ୍ଷରୁ ହାତୀକୁ ଘଉଡେଇବା କାର୍ଯ୍ୟ ଆରମ୍ଭ ହୋଇଥିଲା।

 

Share