ମୟୂରଭଞ୍ଜରେ ହାତୀ ଆତଙ୍କ: ଆକ୍ରମଣରେ ଦୁଇ ମୃତ, ତିନି ଗୁରୁତର

ମୋରଡ଼ା,୨୪।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ନିର୍ବାଚନମଣ୍ଡଳୀରେ ହାତୀ ଉପଦ୍ର ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି।

ମୋରଡ଼ା ବ୍ଲକ ତଥା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ଉଲିଡ଼ିହି ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ର ଘଟିଛି। ସେ ହେଲେ ଗ୍ରାମର ସାକ୍ର ହେମ୍ବ୍ରମ(୫୮)। ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ଭୋର୍‌ରେ ସେ ଘର ବାହାରେ ଝାଡୁ ମାରୁଥିବା ବେଳେ ଏକ ଦନ୍ତାହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ସାକ୍ରଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ, ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ତଦନ୍ତ ଜାରି ରଖିଛନ୍ତି ।

ସେହିପରି ମୋରଡ଼ା ବ୍ଲକ ତଥା ଦେଉଳି ରେଞ୍ଜ ଅଧୀନ ସନପୁରିଆ ଗ୍ରାମର ରଘୁନାଥ ହେମ୍ବ୍ରମ ଘର ପିଣ୍ଡାରେ ଶୋଇଥିବା ବେଳେ ଏକ ଦନ୍ତା ହାତୀ ଆକ୍ରମଣ କରିଥିଲା l ତେବେ ଭୟରେ ରଘୁନାଥ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ହାତୀ କବଳରୁ ବର୍ତ୍ତିପାରି ନ ଥିଲେ l ହାତୀଟି ରଘୁନାଥଙ୍କୁ ଦଳି ଦେବାରୁ ଗୁରୁତର ଆହତ ହୋଇଥିଲେ l ତେବେ ବନବିଭାଗ ଗାଡିରେ ରଘୁନାଥଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ତେବେ ଏତିକିରେ ହାତୀ ଉପଦ୍ରବ ଥମି ନ ଥିଲା। ହାତୀ ଆକ୍ରମଣରେ ପୁଣି ୩ଜଣ ଗୁରୁତର ଆହତ ହୋଇଛନ୍ତି l ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ୫ଟା ସମୟରେ ଉଲିଡିହି ଗ୍ରାମର ସୁଗା ମହାନ୍ତ ମୋରଡ଼ା ବ୍ଲକ ତଥା ବେତନଟି ରେଞ୍ଜ ଅଧୀନ ଅସ୍ତିଆ ରବର ପ୍ଲାଣ୍ଟକୁ ଛତୁ ଗୋଟାଇବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବାରମାଇଲସ୍ଥିତ କିଷାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷେ ମୋରଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶୁଳିଆପଦା ବ୍ଲକ ଅଧୀନ ତାଡିକି ଏବଂ ପୋଖରୀଆ ଗ୍ରାମର ସର୍ବେଶ୍ୱର ସିଂ ଓ ଲୁସକି ସୋରେନ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ତେବେ ଏହିସବୁ ଉପଦ୍ରବ ଝାଡ଼ଖଣ୍ଡୀ ହାତୀ ଘଟାଇଥିବା ଜଣାପଡିଛି। ବର୍ତ୍ତମାନ ହାତୀଟି ବେତନଟି ରେଞ୍ଜ ଅଞ୍ଚଳରେ ଥିବା ଜଣାପଡିଛି।

Share