ଘରେ ଶୋଇଥିଲେ ଦଳିଦେଲା ହାତୀ

ତାଳଚେର,୫।୪(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବ୍ଲକ ଅଧୀନ ସନ୍ଥପଡ଼ା ଗ୍ରାମର ଶନ୍ତରାମୁଣ୍ଡା ସାହିରେ ଏକ ହାତୀ ପଶି ସ୍ବାମୀ ସ୍ତ୍ରୀଙ୍କୁ ଆକ୍ରମଣ କରିଛି । ଫଳରେ ସ୍ତ୍ରୀ କାଞ୍ଚନ ମୁଣ୍ଡା(୫୫)ଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ମୁକୁନ୍ଦ ମୁଣ୍ଡା(୬୦) ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ସ୍ବାମୀ ସ୍ତ୍ରୀ ଘରେ ଶୋଇଥିଲେ। ସେତିକିବେଳେ ଏକ ହାତୀ ଚାଳିଆସି ଘର ଭାଙ୍ଗିବା ସହ କାଞ୍ଚନଙ୍କୁ ଦଳି ଦେଇଥିଲା। ଏପରିକି ଦନ୍ତା ଆକ୍ରମଣରେ ମୁକୁନ୍ଦ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ କୁମୁଦଙ୍କୁ ଉଦ୍ଧାର କରି ମଣ୍ଡପାଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଖବର ପାଇ ତାଳଚେର ପୋଲିସ ଏବଂ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ପଠାଇଛି l କ୍ଷତିପୂରଣ ବାବଦକୁ ବନବିଭାଗ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ ୪୦ ହଜାର ଟଙ୍କାର ଏକ ଚେକ୍‌ ପ୍ରଦାନ କରାଯାଇଛି।

Share