ଝାଳବୁହା ଧନ ଖାଇଗଲେ…

ଶେରଗଡ଼,୧୮ା୨: ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଭୂଷୁଣ୍ଡା ଗ୍ରାମ ନିକଟରେ ବୁଧବାର ରାତିରେ ଏକ ହାତୀପଲ ପଶି ୫୦ ଏକର ଜମିରୁ ଊର୍ଦ୍ଧ୍ୱ ପନିପରିବା ଫସଲ ନଷ୍ଟ କରିଛନ୍ତି। ଏହି ପଲରେ ୮ ହାତୀ ରହିଛନ୍ତି। ବର୍ତ୍ତମାନ ହାତୀପଲ ପାକିଡ଼ି ପାହାଡ଼ ମଧ୍ୟଭାଗରେ ରହିଛନ୍ତି। ଏନେଇ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ଚାଷୀ ଗନ୍ତାୟତ ସ୍ବାଇଁ, ସନ୍ନ୍ୟାସୀ ସ୍ବାଇଁ, ଭଜରାମ ସ୍ବାଇଁ, ପାଣ୍ଡବ ସ୍ବାଇଁ, ଲକ୍ଷବଚ୍ଚ ଗୌଡ, ଅଶୋକ ସ୍ବାଇଁ, ଶିବରାମ ସ୍ବାଇଁ ପ୍ରମୁଖଙ୍କ କୋବି, ଟମାଟୋ, ସାରୁ, ମକା, ଦେଶୀଆଳୁ, ପିଆଜ ଓ କଦଳୀ ବାଡ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ଆର୍‌ଆଇ ଅଭିମନ୍ୟୁ ସେଠୀ ଘଟଣା ସ୍ଥଳରେ ପହଞ୍ଚତ୍ କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି। ବନ ବିଭାଗ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।