ଫାର୍ମହାଉସ୍‌ରେ ପଶି କଦଳୀ-ନଡ଼ିଆ ଗଛ ଭାଙ୍ଗିଲେ ହାତୀପଲ, ଖାଇଗଲେ ପଇଡ଼

ପାଟଣା,୨୦ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ରେଞ୍ଜରେ ୨୯ ଟିକିଆ ବଣୁଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ଶୁକ୍ରବାର ରାତିରେ ରାସପଶି ଗାଁରେ ୨ଟି ଘର ଭାଙ୍ଗିବା ପରେ ଶନିବାର ବିଳମ୍ବିତ ରାତିରେ ହାତୀପଲ ପାଟଣା ରେଞ୍ଜ ଡିମିରିଡିହା ଗାଁ ନିକଟ ତୁଳସୀପୁର ସାହିରେ ଥିବା ବିବେକାନନ୍ଦ ଦାଶ ଫାର୍ମ ହାଉସରେ ପଶି ବ୍ୟାପକ ଫଳଗଛ ଉପାଡ଼ି ଭାଙ୍ଗି ନଷ୍ଟ କରିଛନ୍ତି। ହାତୀପଲ ଫାର୍ମହାଉସର ଗେଟ୍‌ ଭାଙ୍ଗି ଫାର୍ମହାଉସ ଭିତରେରେ ପଶିବା ପରେ ଫାର୍ମ ଭିତରେ ଥିବା ନଡ଼ିଆ ଓ କଦଳୀ ବଗିଚାର ଗଛ ସମେତ ଅନେକ ଫଳଗଛ ଭାଙ୍ଗିବା ସହ ବଡ଼ବଡ଼ ନଡ଼ିଆ ଗଛକୁ ଉପାଡ଼ି ପଇଡ଼ ଖାଇଯାଇଛନ୍ତି। ଫାର୍ମ ହାଉସ ଭିତରେ ଥିବା ପୋଖରୀରେ ହାତୀପଲ ଗାଧୋଇବା ସହ ଚକଟି ଦେବାରୁ ଅନେକ ମାଛ ମରି ଭାସୁଛନ୍ତି। ଫାର୍ମହାଉସର ଏକ ଖମ୍ବକୁ ଭାଙ୍ଗି ଦେଇଛନ୍ତି। ଏବେ ହାତୀପଲ ଡିମିରିଡିହା ଗାଁ ଫାର୍ମ ହାଉସ ନିକଟ ପାଟଣା ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଛନ୍ତି। ବନ ବିଭାଗ ହାତୀପଲକୁ ଅଞ୍ଚଳରୁ ଘଉଡ଼ାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Share