ବରଗଡ଼ ଅଫିସ,୨୩।୧୨: ସୋନପୁର ଜିଲାରୁ ମହାନଦୀ ପାରି ହୋଇ ହାତୀପଲ ବରଗଡ଼ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ତୁରୁମ, ଭାଲୁପାଲି, ମୋହନା ଆଦି ଅଞ୍ଚଳକୁ ପଶିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତ୍ରିରୁ ଏହି ହାତୀପଲ ପଶି ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ଫସଲକ୍ଷତି କରିଥିବା ସୂଚନା ମିଳିଛି। ହାତୀପଲରେ ୨୭ଟି ହାତୀ ଥିବା କୁହାଯାଉ ଥିବାବେଳେ ଏହି ହାତୀପଲ ଗଣ୍ଡତୁରୁମ ଗ୍ରମର ଉଗ୍ରସେନ ଦଣ୍ଡସେନାଙ୍କ ୫ ଏକର, ଗୋଲେଖ ମହାରଣାଙ୍କ ୧୦ ଏକର, ସୁଦର୍ଶନ ସାହୁ ୧୦ ଏକର, ଲୋକନାଥ ସାହୁ ୩ ଏକର ଏବଂ ମହୁଲପାଲି ଗ୍ରାମର ପ୍ରଶାନ୍ତ କରଙ୍କ ୨୦ ଏକର ଜମିରେ ଲଗାଯାଇଥିବା ଧାନ ତଳି ଦଳିଚକଟ ନଷ୍ଟ କରି ଦେଇଥିବା ସମ୍ପୃକ୍ତ ଚାଷୀମାନେ କହିଛନ୍ତି। ସେହିପରି ଗଣ୍ଡତୁରୁମ ଗ୍ରାମର ଚନ୍ଦ୍ରଶେଖର ନାଗଙ୍କ ଖଳାରେ ଗଦା ହୋଇଥିବା ୫ଏକର ଜମିର ଧାନ ଖରି ଖାଇ ନଷ୍ଟ କରି ଦେଇଛନ୍ତି। ଖବରପାଇ ବରଗଡ଼ ବନବିଭାଗ କର୍ମଚାରୀମାନେ ସମ୍ପୃକ୍ତ ଅଞ୍ଚଳକୁ ପହଞ୍ଚି ହାତୀ ଘଉଡାଇବାକୁ ଉଦ୍ୟମ କରୁଛନ୍ତି।