ହାତୀପଲ ଭାଙ୍ଗି ଦେଲେ ଘର

ପରଜଙ୍ଗ,୨୭।୧୨(ଡି.ଏନ.ଏ.): ଢେଙ୍କାନାଳ ବନଖଣ୍ଡ ମହାବୀରରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ କନ୍ତୋର ପଞ୍ଚାୟତ ଚାନ୍ଦପୁର ଗ୍ରାମରେ ହାତୀପଲ ଉପଦ୍ରବ ଚଳାଇଛନ୍ତି। ଗ୍ରାମର ମଞ୍ଜୁଲତା ନାଏକଙ୍କ ୨ ବଖରା ଘର ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର, ଧାନ, ଚାଉଳ ଆଦି ନଷ୍ଟ କରି ଦେଇଛନ୍ତି। ରବିବାର ରାତିରେ ପରିବାର ଲୋକେ ଶୋଇଥିବା ବେଳେ ହାତୀପଲ ପ୍ରଥମେ ମଞ୍ଜୁଲତାଙ୍କ ପାଇଖାନା ଘର ଭାଙ୍ଗି ଥିଲେ। ଶବ୍ଦ ଶୁଣି ପରିବାର ଲୋକେ ଘର ବାହାରକୁ ଚାଲି ଆସିଥିଲେ। ହାତୀପଲଙ୍କୁ ଦେଖି ପରିବାର ଲୋକେ ଶବର ସାହି ମଧ୍ୟକୁ ପଳାଇ ଆସିଥିଲେ। ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏ ନେଇ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ସାହୁ, ସାମାଜିକ କର୍ମୀ ଅମରେଶ ସାହୁ, ମଞ୍ଜୁଲତାଙ୍କ ପରିବାରକୁ ଶୁଖିଲା ଖାଦ୍ୟ, ରନ୍ଧାଖାଦ୍ୟ ସହ କିଛି ଆର୍ଥିକ ସହାୟତା କରିଛନ୍ତି। ତୁରନ୍ତ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।