ଚାଷ ଜମିରେ ପଶି ଧାନ ଫସଲ ନଷ୍ଟ କଲେ ହାତୀ, ଆତଙ୍କରେ ଚାଷୀ

ନିରାକାରପୁର, ୧୪।୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ବର୍ଷା ନ ଥିବା ଯୋଗୁଁ ଚାଷୀ ଏକ ପ୍ରକାର ମାନସିକ ଦୁର୍ବଳ ହୋଇପଡିଥିବା ବେଳେ ଜଙ୍ଗଲୀ ହାତୀଙ୍କ ଉତ୍ପାତ ଏବେ ସେମାନଙ୍କୁ ଶକ୍ତ ଆଘାତ ଦେଇଛି। ଏଭଳି ଦୃଶ୍ୟ ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅଧୀନରେ ଥିବା ଛଣଗିରି ପଞ୍ଚାୟତ ଦେଉଳିର ଅରାଙ୍ଗ ମୌଜାରେ ଦେଖିବାକୁ ମିଳିଛି। ଉକ୍ତ ଧାନ ବିଲରେ ହାତୀ ପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ଯେତିକି ଖାଇଛନ୍ତି ତାଠାରୁ ଶହେ ଗୁଣରେ ଦଳି ଚକଟି ନଷ୍ଟ କରିଥିବା ଚାଷୀ ଦୀପକ ପ୍ରଧାନ ଅଭିଯୋଗ କରିଛନ୍ତି। ଧାର କରଜକରି ଫସଲ କରିଥିଲେ ହେଲେ ଅମଳ ହେବା ବେଳକୁ ବର୍ଷା ଉଭାନ ହୋଇଯାଇଥିବା ବେଳେ ହାତୀଙ୍କ ଉତ୍ପାତ ଅତି ଅସହ୍ୟ ଯନ୍ତ୍ରଣା ଦେଉଛି ବୋଲି ଅଭିଯୋଗ କରିଛନ୍ତି ପ୍ରଧାନ।
ସେହିପରି ଚାଷୀ ପୂର୍ଣ୍ଣଚନ୍ଦ୍ର ସାହୁ, ବିଚିତ୍ରା ମହାନ୍ତି, ଅନନ୍ତ ଚମ୍ପତ୍ତି, ନିଲୁ କଳାପାହାଡ଼ କହିବା ଅନୁଯାୟୀ, ଏଭଳି ଅବ୍ୟବସ୍ଥା ଯୋଗୁଁ ଚଳିତବର୍ଷ ଅମଳ ବେଳକୁ ଧାନ ଫସଲ ଖଳାବାରିକୁ ଆସିବ ନାହିଁ ଭାବି ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷୀ ବେଣୁଧର ରଣସିଂ, ଜୟ ବିଶ୍ୱାଳ, ଝରଣା ମଙ୍ଗରାଜଙ୍କ କହିବା ଅନୁଯାୟୀ, ସେ ଚଳିତ ବର୍ଷ ବିଭିନ୍ନ ଅଣବ୍ୟାଙ୍କିଙ୍ଗ ସଂସ୍ଥାରୁ ହଜାର ହଜାର ଟଙ୍କା ଧାରକରଜ କରି ଏକର ଏକର ଜମିରେ ଧାନ ଫସଲ କରିଥିଲେ। ହେଲେ ରାତିରେ ଜଙ୍ଗଲୀ ହାତୀ ଓ ବାରହା ଧାନ କ୍ଷେତରେ ପଶି ଧାନ ଫସଲ ନଷ୍ଟ କରୁଛନ୍ତ। ତେବେ ଉକ୍ତ ଅଞ୍ଚଳରେ ୨ରୁ ୩ଦିନ ମଧ୍ୟରେ ପ୍ରାୟ ୨୦ଏକରରୁ ଉର୍ଦ୍ଧ ଧାନଜମି କ୍ଷତିଗ୍ରସ୍ତ ହୋଇଥିବା ସେ କହିଛନ୍ତି। ବନେଇ ଭୂଷଣ୍ଡପୁର ଫରେଷ୍ଟର ପ୍ରଶାନ୍ତ କୁମାର ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ହାତୀ ଯେଉଁଠି ଫସଲ ନଷ୍ଟ କରିବାର ଅଭିଯୋଗ ଆସିଛି ଆମ ଷ୍ଟାପ ସେହି ସ୍ଥାନରେ ଇନକ୍ୱାରୀ କରିବେ। ତାପରେ ସେମାନଙ୍କୁ ଏକରକୁ ୨୦ ହଜାର ଟଙ୍କା ସରକାରୀ ସହାୟତା ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।

Share