ଆଖୁ ଉପରେ ହାତୀଙ୍କ ଆଖି

ଭୁବନ, ୨୭।୧୦(ଡି.ଏନ୍‌.ଏ.): ପାଚି ଆସିଲାଣି ଆଖୁ। ପୁଡ଼ା ବାନ୍ଧିଲାଣି ଧାନ। ମାସ କେଇଟାରେ କଟା ହୋଇ ଆସିବ ସୁନାର ଫସଲ। ଏଭଳି ଆଶା ବାନ୍ଧିଥିବା ଚାଷୀଙ୍କ ପାଇଁ କିନ୍ତୁ ଦାରୁଣ ଦୁଃଖ ପାଲଟିଛନ୍ତି ହାତୀପଲ। ମାତ୍ର ୪ ଦିନରେ ଏକର ଏକର ଜମିର ଚାଷ ଉଜାଡ଼ି ଦେଲେଣି ସେମାନେ। ଯେତିକି ଖାଉନାହାନ୍ତି, ତା’ଠାରୁ ଅଧିକ ଦଳିଚକଟି ନଷ୍ଟ କରି ଦେଉଛନ୍ତି। କେବଳ ଏତିକି ନୁହେଁ, ବାରମ୍ବାର ଜନବସତିମୁହଁା ହେଉଥିବାରୁ ଧନଜୀବନ ହାନି ଆଶଙ୍କାରେ ଜୀବନ ବିତାଉଛନ୍ତି ଢେଙ୍କାନାଳ ଜିଲା ଭୁବନ ବ୍ଲକ ଅଞ୍ଚଳର ଚାଷୀ।

ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲା ଷଡ଼ଙ୍ଗୀ ରେଞ୍ଜ୍‌ରୁ ବ୍ରାହ୍ମଣୀ ନଦୀ ପାର୍‌ ହୋଇ ଏକ ପଲରେ ୩ ବଡ଼ ଏବଂ ୨ ଛୁଆ ହାତୀ ଭୁବନ ଅଞ୍ଚଳକୁ ରବିବାର ରାତିରେ ଚାଲି ଆସିଛନ୍ତି। ସେମାନେ ପ୍ରଥମେ ବ୍ରାହ୍ମଣୀ ନଦୀପଠାରେ ଥିବା ବନ ବିଭାଗ ନର୍ସରିରେ ଡେରା ପକାଇଥିଲେ। ସେଠାରୁ ଭୁଷଳ ଏବଂ ସୁଲେଇପାଳ ଅଞ୍ଚଳରେ ଥିବା ଆଖୁବାଡ଼ିରେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଏଥିସହ ଧାନବିଲରେ ପଶି ଫସଲ ଖାଇଯାଇଚନ୍ତି। ବୁଧବାର ଭୋର୍‌ ସମୟରେ ସମ୍ପୃକ୍ତ ହାତୀପଲ କିଙ୍ଗୋଳ ଗ୍ରାମ ଶିବ ମନ୍ଦିର ନିକଟ କାଜୁ ଜଙ୍ଗଲରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ୪ଦିନ ମଧ୍ୟରେ ହାତୀପଲ ପ୍ରାୟ ୭ କିଲୋମିଟର ପରିଧିରେ ଆତଙ୍କ ସୃଷ୍ଟି କରିଥିବାବେଳେ ପ୍ରାୟ ୨ ଏକର ଜମିର ଧାନ ଏବଂ ୩ ଏକର ଜମିର ଆଖୁ ଚାଷ ଉଜାଡ଼ି ଦେଇଥିବା ଭୁଷଳ ଅଞ୍ଚଳର କବୀର ସ୍ବାଇଁ, ମନୋରମା ସ୍ବାଇଁ, ବିଦ୍ୟୁତ୍‌ପ୍ରଭା ସ୍ବାଇଁ ପ୍ରମୁଖ ୧୦ ଚାଷୀ ଅଭିଯୋଗ କରିଛନ୍ତି। ହାତୀଙ୍କ ପାଇଁ ଜୟପୁର, ଚଣ୍ଡୀପାଳ, କିଙ୍ଗୋଳ, ଅସୁରବନ୍ଧ, କୀର୍ତ୍ତନପୁର, ଭୁବନ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଲୋକମାନେ ନଦୀକୁ ଗାଧୋଇବାକୁ ଯିବାକୁ ଭୟ କରୁଛନ୍ତି। ସନ୍ଧ୍ୟା ହେଲେ ପ୍ରମୁଖ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଉଛି। ନଦୀକୂଳିଆ ଗ୍ରାମବାସୀଙ୍କ ନିଦ ହଜିଯାଇଛି। ତୁରନ୍ତ ହାତୀଙ୍କୁ ନଦୀ ପାର୍‌ କରା ନ ଗଲେ ଚାଷୀକୁଳ ବ୍ୟାପକ କ୍ଷତି ସହିବେ। କୌଣସି ଅଘଟଣ ଘଟିଲେ ଏଥିପାଇଁ ବନ ବିଭାଗ ଦାୟୀ ରହିବ ବୋଲି ଚାଷୀ ଏବଂ ଉପଦ୍ରୁତ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ଅନ୍ୟପଟେ ସ୍ଥାନୀୟ ଅଞ୍ଚଳବାସୀଙ୍କଠାରୁ ସୂଚନା ପାଇ ରେଞ୍ଜର ଅନିତା ସେଠୀ, ଫରେଷ୍ଟର କବିତା ବିଶାଳ, ହାତୀସ୍କ୍ବାଡ୍‌ କର୍ମଚାରୀ ହାତୀଙ୍କୁ ଘଉଡ଼ାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ଏ ସଂକ୍ରାନ୍ତରେ ରେଞ୍ଜର କୁହନ୍ତି, ଦୀପାବଳିରେ ହାତୀପଲ ନଦୀ ପାର ହୋଇ ନିଜ ଆବାସସ୍ଥଳୀ ଅଭିମୁଖେ ଯାଉଥିଲେ। ତେବେ ବାଣ ଶବ୍ଦରେ ବିଚଳିତ ହୋଇ ସେମାନେ ପୁନର୍ବାର ଲେଉଟି ଆସିଛନ୍ତି। ବୁଧବାର ରାତିରେ ସେମାନଙ୍କୁ ନଦୀ ପାର୍‌ କରାଯିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି।