୧୧ କେଭି ବିଦ୍ୟୁତ୍‌ ତାରରେ ଲାଗି ଚାଲିଗଲା ମାଈହାତୀର ଜୀବନ

ନାକଟୀଦେଉଳ, ୧୮ା୮(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ରେଢାଖୋଲ ବନଖଣ୍ଡ ଘୋଷରାମାଳ ଫରେଷ୍ଟ ସେକ୍ସନର ଚରଡ଼ପଶି ଚହଟାପଦାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଏକ ମାଈହାତୀର ମୃତ୍ୟୁ ଘଟିଛି। ଶନିବାର ରାତିରେ ରାଞ୍ଚି-ବିଜୟୱାଡ଼ା ଜାତୀୟ ରାଜପଥର ରେଢାଖୋଲ-ନାକଟୀଦେଉଳ ରାସ୍ତା ପାର୍ଶ୍ୱରୁ ପ୍ରାୟ ୧ଶହ ମିଟର ଦୂରରେ ଏହି ଘଟଣା ଘଟିଛି।

ପ୍ରାପ୍ତ ସୂଚନା ଅନୁସାରେ ଗତ କିଛିଦିନ ହେଲା ଏକ ୫୦ଟିକିଆ ହାତୀପଲ ଏହି ଅଞ୍ଚଳକୁ ଆସି ଭାଗ ଭାଗ ହୋଇ ଏଣେତେଣେ ବୁଲୁଥିଲେ। ଶନିବାର ରାତିରେ ଏକ ୧୫ ଟିକିଆ ହାତୀପଲ ଚହଟାପଦାଠାରେ ଧାନ ଜମିରେ ପଶି ଉପଦ୍ରବ କରୁଥିଲେ। ବନ ବିଭାଗ କର୍ମଚାରୀ ସେମାନଙ୍କ ପିଛା କରିଥିଲେ। ଏହି ସମୟରେ ହାତୀପଲ ଚହଟାପଦା ଜଙ୍ଗଲରୁ ଜାତୀୟ ରାଜପଥ ପାର ହୋଇ ଅପରପାର୍ଶ୍ୱ ଜଙ୍ଗଲକୁ ଯାଉଥିବାବେଳେ ପାଖରେ ଯାଇଥିବା ୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଏକ ମାଈହାତୀର ଶୁଣ୍ଢ ଲାଗିଯିବାରୁ ଘଟଣାସ୍ଥଳରେ ଟଳି ପଡିଥିଲା।

ମୃତ ହାତୀ ନିକଟରେ ଅନ୍ୟ ହାତୀମାନେ ଦୀର୍ଘ ସମୟ ଧରି ଜଗି ରହିଥିଲେ। ହାତୀପଲଙ୍କ ପିଛା କରୁଥିବା ବନ କର୍ମଚାରୀମାନେ ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଖବର ପାଇ ରେଢାଖୋଲ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି, ସହକାରୀ ବନ ସଂରକ୍ଷକ ମାଳତୀଲତା ହାଁସଦା, ନାକଟୀଦେଉଳ ବନାଞ୍ଚଳ ଅଧିକାରୀ ଅଶ୍ୱିନୀ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ଥିଲେ।

ରବିବାର ସକାଳେ ବନ ବିଭାଗର ଅଧିକାରୀ ଏବଂ ରେଢାଖୋଲ ବିଦ୍ୟୁତ୍‌ ବିଭାଗ ଉପଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମାଟି ଉପରୁ କମ୍‌ ଉଚ୍ଚତାରେ ୧୧କେଭି ତାର ଯାଇଥିବାରୁ ହାତୀର ମୃତ୍ୟୁ ଘଟିଲା ଓ ବିଦ୍ୟୁତ୍‌ ବିଭାଗର ଅବହେଳା ଏଥିପାଇଁ ଦାୟୀ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ବ୍ୟବଚ୍ଛେଦ ପରେ ସେଠାରେ ହାତୀ ମୃତଦେହ ପୋତି ଦିଆଯାଇଛି। ମୃତ ମାଈହାତୀର ବୟସ ୧୫ ବର୍ଷ ହେବ। ହାତୀ ମୃତ୍ୟୁ ଘଟଣାର ତଦନ୍ତ କରାଯିବ ବୋଲି ରେଢାଖୋଲ ଡିଏଫ୍‌ଓ ମହାନ୍ତି କହିଛନ୍ତି। ହାତୀ ଚଲାପଥ ରାସ୍ତାରେ ଯାଇଥିବା ବିଦ୍ୟୁତ୍‌ ତାରଗୁଡ଼ିକୁ ଖୁବ୍‌ଶୀଘ୍ର ହଟାଇ କେବୁଲ ତାର ବିଛାଇବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଏହି ଘଟଣାକୁ ମିଶାଇ ଗତ ୨ ମାସ ମଧ୍ୟରେ ରେଢାଖୋଲ ବନଖଣ୍ଡରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଟି ହାତୀର ମୃତ୍ୟୁ ଘଟିସାରିଲାଣି।

Share