ନିରାକାରପୁର,୧୦ା୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଅନ୍ତର୍ଗତ ନିରାକାରପୁର ଓ ରାମେଶ୍ୱର ପଞ୍ଚାୟତ ଅଞ୍ଚଳରେ ଗତ ୩ରୁ ୪ଦିନ ଧରି ହାତୀ ଉପଦ୍ରବ ଲାଗି ରହିଛି। ବନ ବିଭାଗ ପକ୍ଷରୁ ଘଉଡ଼ାଇବା ଲାଗି ଚେଷ୍ଟା ସତେ ଏହି ହାତୀପଲ ଅଞ୍ଚଳ ଛାଡ଼ି ଯାଉନାହାନ୍ତି। ବୁଧବାର ଦିନତମାମ ଏହି ହାତୀପଲ ସ୍ଥାନୀୟ ରାମେଶ୍ୱର ଜଙ୍ଗଲରେ ରହିଥିଲେ। ସଞ୍ଜ ନଇଁବା ପରେ ଗାଁ ମୁହାଁ ହୋଇଛନ୍ତି। ହାତୀପଲ ରାମେଶ୍ୱର ଖେଳପଡ଼ିଆ ସନ୍ନିକଟ ନୂଆ ଜଗନ୍ନାଥ ସଡ଼କରେ ଅତିକ୍ରମ କରିଥିଲେ। ରାସ୍ତାରେ ଏହି ହାତୀପଲକୁ ଦେଖି ଲୋକମାନେ ପ୍ରାଣ ବିକଳରେ ଦୌଡ଼ିଲେ। କିଛି ସମୟ ଧରି ଉଭୟ ପାର୍ଶ୍ୱରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା। ଅଦ୍ୟାବଧି ସ୍ଥାନୀୟ ଅଞ୍ଚଳରେ ୨୩ଟି ହାତୀ ଥିବା ଜଣାଯାଇଛି। ବିଭାଗ ପକ୍ଷରୁ ୩ଟି ଟିମ୍ ଉପସ୍ଥିତ ରହି ସେମାନଙ୍କ ଗତିବିଧି ଲକ୍ଷ୍ୟ କରାଯାଉଥିବା ଭୂଷଣ୍ଡପୁର ବନପାଳ ପ୍ରଶାନ୍ତ କୁମାର ଦାଶ ଜଣାଇଛନ୍ତି। ତଥାପି ହାତୀପଲ ଅଞ୍ଚଳରେ ଥିବା ଜାଣି ଲୋକେ ଆତଙ୍କିତ ଅବସ୍ଥାରେ ଥିବା ଜଣାଯାଇଛି।