ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି ହାତୀ ସୋମବାର ବିଳମ୍ବିତ ରାତିରେ ନାଇକୁଡି ଗ୍ରାମରେ ପାଚିଲା ଧାନକ୍ଷେତରେ ପଶି ଫସଲ ନଷ୍ଟ କରିଥିଲେ। ମୟୁରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଥିବାରୁ ହାତୀପଲ ଜଙ୍ଗଲ ଛାଡି ଗାଁମୁହାଁ ହୋଉଥିବା ଅନୁମାନ କରାଯାଉଛି l ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ହାତୀପଲ ଚାଷ ଜମିରେ ପଶି ପାଚିଲା ଧାନ ଖାଇବା ସହ ଦଳଚକଟା କରିବା ଫଳରେ ୨୦ ଏକରରୁ ଅଧିକ ଜମିରେ ହୋଇଥିବା ରବି ଧାନ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଖବର ପାଇ ରାତିରେ ବନବିଭାଗ ଟିମ ପହଞ୍ଚି ହାତୀପଲକୁ ଘଉଡାଇଥିଲେ। କ୍ଷତିଗ୍ରସ୍ତ ଚାଷୀ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି l

Share