ହାତୀଦାନ୍ତ, ବାଘଛାଲ ଜବତ

ଭୁବନେଶ୍ୱର,୯।୨(ବ୍ୟୁରୋ)/କେନ୍ଦୁଝର (ସ୍ବ.ପ୍ର.): ରାଜ୍ୟରେ ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣ ଥମିବାର ନାଁ ଧରୁନି। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ସୋମବାର ଆଉଏକ ର଼୍ୟାକେଟକୁ ଠାବ କରିଛି। କେନ୍ଦୁଝର ଜିଲା ଆର୍‌ଟିଓ ଅଫିସ ନିକଟରେ ଡିଲ୍‌ ଚାଲିଥିବାବେଳେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ୩ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨ଟି ହାତୀଦାନ୍ତ ଓ ଏକ କଲରା ପତରିଆ ବାଘଛାଲ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ କରଞ୍ଜିଆର ଶେଖ୍‌ ହସମତି ଅଲ୍ଲୀ, ମୟୂରଭଞ୍ଜର ଚନ୍ଦ୍ରକାନ୍ତ ଧଳ ଓ ମଳୟ କୁମାର ରାଉତ ରାୟ। ଅଭିଯୁକ୍ତଙ୍କ ବିରୋଧରେ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ-୧୯୭୨ର ଧାରା ୫୧ରେ ମାମଲା (ନଂ.୬/୨୦୨୧) ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ଉଦ୍ଧାର ବାଘଛାଲରେ ଗୁଳି ଆକାରର ଏକ କଣା ରହିଥିବାରୁ ବାଘଟିକୁ ଗୁଳି କରାଯାଇ ଶିକାର କରାଯାଇଥିବା ସନ୍ଦେହ କରାଯାଉଛି। ଜବତ ଦାନ୍ତ ଓ ଚମଡା ଯାଞ୍ଚ ପାଇଁ ଡେରାଡୁନ୍‌ ୱାଇଲ୍ଡ ଲାଇଫ୍‌ ଇନଷ୍ଟିଚ୍ୟୁଟକୁ ପଠାଯାଇଛି। ତେବେ ଶେଖ୍‌ ହସମତ ଅଲ୍ଲୀ ପୂର୍ବରୁ ମଧ୍ୟ ବନ୍ୟଜନ୍ତୁ ଚୋରା ଚାଲାଣ କରୁଥିବା ସମୟରେ ବନ ବିଭାଗ ଦ୍ୱାରା ଗିରଫ ହୋଇଥିବା ନେଇ ଏସ୍‌ଟିଏଫ୍‌ ସୂଚନା ଦେଇଛି। ପୋଲିସ କିମ୍ବା ବନ ବିଭାଗର ସନ୍ଦେହ ନ ହେବା ପାଇଁ ଅଭିଯୁକ୍ତମାନେ ଏକ ବସ୍ତାରେ ହାତୀ ଦାନ୍ତ ଓ ବାଘ ଛାଲ ଆଣିଥିଲେ। ଏହି ର଼୍ୟାକେଟରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ଏହାର ଚେର କେତେବାଟ ଲମ୍ବିଛି ଓ ଜବତ ବନ୍ୟପ୍ରାଣୀ ସାମଗ୍ରୀ କେଉଁଠାକୁ ଚାଲାଣ ହେଉଥିଲା ତାହା ଜାଣିବାକୁ ଏସ୍‌ଟିଏଫ୍‌ ଅଧିକ ତଦନ୍ତ ଚଳାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ବନ୍ୟପ୍ରାଣୀ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛନ୍ତି। ଗୁଳି, ଫାଶ ଓ ତୀରରେ ବାଘ, ହାତୀ, ହରିଣ, ବ୍ରଜକାପ୍ତା ଆଦି ଶିକାର ଚାଲୁଥିଲେ ମଧ୍ୟ ବନ ବିଭାଗ ସେପରି ଦୃଢ଼ ପଦକ୍ଷେପ ନେଉ ନ ଥିବାରୁ ରାଜ୍ୟରୁ ଚୋରା ଚାଲାଣବେଳେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଅନେକ ସମୟରେ ହାତୀ ଦାନ୍ତ, ବାଘ ଚମଡ଼ା, ହରିଶ ଚମଡ଼ା, ଶିଙ୍ଘ, ବଜ୍ରକାପ୍ତା ଆଦି ଧରୁଛି। ସମ୍ପୃକ୍ତ ବେପାରୀ, ଏଜେଣ୍ଟ ଓ ଚାଲାଣକାରୀଙ୍କୁ ଗିରଫ କରୁଛନ୍ତି। ହେଲେ ଜେଲ୍‌ରୁ ବାହାରିବା ପରେ ପୁଣି ଏହି ବେଆଇନ କାରବାରରେ ଲିପ୍ତ ରହୁଥିବାରୁ ଏହାକୁ ରୋକିହେଉନି।

Share