ଭରତପୁର ଜଙ୍ଗଲରେ ହାତୀଛୁଆ ଜନ୍ମ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ):ଭୁବନେଶ୍ୱରେ ଚନ୍ଦକା ବନଖଣ୍ଡ ଅନ୍ତର୍ଗତ ଭରତପୁର ସଂରକ୍ଷିତ ଜଙ୍ଗଲରେ ଏକ ହାତୀ ଛୁଆ ଜନ୍ମ ନେଇଛି। ମା’ ହାତୀ ସହ ୧୪ ଟିକିଆ ହାତୀ ପଲ ତାକୁ ସୁରକ୍ଷା ଯୋଗାଉଥିବା ଦେଖିବାକୁ ମିଳୁଛି। ମା’ ହାତୀଟି ୩ରୁ ୪ ମାସ ଭିତରେ ଏହି ଛୁଆଟିକୁ ଜନ୍ମ ଦେଇଥିବା ଅନୁମାନ କରାଯାଉଛି। ଏ ସମ୍ପର୍କରେ ଏବେ ଜଣାପଡିବା ପରେ ଚନ୍ଦକା ବନଖଣ୍ଡ ଓ ଭୁବନେଶ୍ୱର ରେଞ୍ଜ କର୍ମଚାରୀମାନେ ପାଟ୍ରୋଲିଂ ବଢ଼େଇ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଆଗରୁ ଭରତପୁର ଜଙ୍ଗଲକୁ ଚନ୍ଦକା ହାତୀଙ୍କ ମାମୁଘର ବୋଲି କୁହାଯାଉଥିଲା। କାରଣ ଚନ୍ଦକାରେ ମାଈ ହାତୀ ଟିଏ ଗର୍ଭ ଧାରଣ କରିବା ପରେ ଛୁଆ ଜନ୍ମ କରିବା ପାଇଁ ଭରତପୁର ଜଙ୍ଗଲକୁ ଆସୁଥିଲେ। ମାନବ ସମାଜରେ ଆଗରୁ ପିଲା ଜନ୍ମ ପାଇଁ ଝିଅମାନେ ବାପଘରକୁ ଯାଉଥିଲେ, ଅର୍ଥାତ୍‌ ଛୁଆମାନେ ନିଜର ମାମୁଘରେ ହିଁ ଜନ୍ମ ହେଉଥିଲେ। ତେବେ ଭୁବନେଶ୍ୱରର କ୍ରମବର୍ଦ୍ଧିଷ୍ଣୁ ସହରୀକରଣ ଏହି ହାତୀଙ୍କ କ୍ରମବିକାଶ ଓ ସଂଖ୍ୟାବୃଦ୍ଧିକୁ ଗୁରୁତର ପ୍ରଭାବିତ କରିଆସୁଛି। ଫଳରେ ହାତୀ ମାମୁଘର ଭରତପୁର ଜଙ୍ଗଲକୁ ନେଇ ଲୋକଙ୍କ ସନ୍ଦେହ ବଢିବା ସହ ବିଭିନ୍ନ ସମୟରେ ନାନା ପ୍ରଶ୍ନ ଉଠୁଥିଲା। ହେଲେ ଏବେ କୌତୁକିଆ ହାତୀ ଛୁଆ ମା’ ସହ ଖେଳ ପୁଣିଥରେ ଇତିହାସକୁ ଦୋହରାଇଛି। ଗର୍ଭିଣୀ ହାତୀ ମଧ୍ୟ ଭରତପୁରକୁ ସବୁଠୁ ସୁରକ୍ଷିତ ସ୍ଥାନ ଭାବେ ବାଛି ନିଜର ପ୍ରସବ ସମ୍ପାଦନ କରିଛି। ପୁଣିଥରେ ଭରତପୁର ଜଙ୍ଗଲ ଚନ୍ଦକା ହାତୀଙ୍କ ମାମୁଘର ପରିଚୟ ପାଇଛି ବୋଲି ଚର୍ଚ୍ଚା ହେଉଛି।

Share