Categories: ଜାତୀୟ

ହାରିଗଲେ ଯୋଗୀ ସରକାରଙ୍କ ୧୧ ହେଭିଓ୍ବେଟ

ଲକ୍ଷ୍ନୌ,୧୨।୩: ୨୭୩ ସିଟ ପାଇ ଉତ୍ତରପ୍ରଦେଶରେ ଭାଜପା ମେଣ୍ଟ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିଛି। ହେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ଥିବା ୧୧ଜଣ କ୍ୟାବିନେଟ ମନ୍ତ୍ରୀ ନିର୍ବାଚନରେ ପରାସ୍ତ ହୋଇଛନ୍ତି।

ନିର୍ବାଚନ କମିଶନଙ୍କ ଓ୍ବେବ୍‌ସାଇଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଘୋଷିତ ୪୦୩ ଆସନ ମଧ୍ୟରୁ ଭାଜପା ୨୫୫ଟି ଆସନ ପାଇଥିବା ବେଳେ ସହଯୋଗୀ ଅପ୍‌ନା ଦଳ (ଏସ୍‌) ୧୨ ଏବଂ ନିଶାଦ ପାର୍ଟି ୬ ଆସନ ଜିତିଛି। ସେହିପରି ସମାଜବାଦୀ ପାର୍ଟି ୧୧୦ ଆସନ ଜିତିଥିବାବେଳେ ସହଯୋଗୀ ଆର୍‌ଏଲ୍‌ଡି ୮ ଏବଂ ଏସ୍‌ବିଏସ୍‌ପି ୬ ଆସନ ଜିତିବାରେ ସକ୍ଷମ ହୋଇଛି। କଂଗ୍ରେସ ୨ଟି ଆସନରେ ଅଟକି ଥିବା ବେଳେ ବିଏସ୍‌ପି ଗୋଟିଏ ସିଟରେ ବିଜୟୀ ହୋଇଛି।

ପୂର୍ବ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା କେଶବ ପ୍ରସାଦ ମୌର୍ଯ୍ୟ ସିରଥୁ ଆସନରେ ସମାଜବାଦୀ ପାର୍ଟିର ସହଯୋଗୀ ଅପ୍‌ନା ଦଳ(କେ)ର ପଲ୍ଲଭି ପଟେଲଙ୍କଠାରୁ ହାରିଯାଇଛନ୍ତି। ସେହିପରି ଆଖୁ ମନ୍ତ୍ରୀ ସୁରେଶ ରଣା ଥାନା ଭବନ ଆସନରୁ ହାରିଥିବା ବେଳେ ଛତ୍ରପାଳ ସିଂ ଗଙ୍ଗଓ୍ବାର ବାହେରି ଆସନରୁ ପରାଜିତ ହୋଇଛନ୍ତି।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରାଜେନ୍ଦ୍ର ପ୍ରତାପ ସିଂ ପତ୍ତି ଆସନରେ ଏସ୍‌ପି ପ୍ରାର୍ଥୀ ରାମ ସିଂଙ୍କଠାରୁ ହାରିଯାଇଛନ୍ତି। ମନ୍ତ୍ରୀ ଚନ୍ଦ୍ରିକା ପ୍ରସାଦ ଉପାଧ୍ୟାୟ ଏସ୍‌ପି ପ୍ରାର୍ଥୀ ଅନିଲ କୁମାରଙ୍କଠାରୁ ପରାଜିତ ହୋଇଥିବା ବେଳେ ଆନନ୍ଦ ସ୍ବରୂପ ଶୁକ୍ଳା ବରିୟା ଆସନରୁ ଏସ୍‌ପିର ଜୟପ୍ରକାଶ ଅଞ୍ଚଲ୍‌ଙ୍କଠାରୁ ହାରିଛନ୍ତି। ସେହିପରି ମନ୍ତ୍ରୀ ଉପେନ୍ଦ୍ର ତିଓ୍ବାରି, ରାନବେନ୍ଦ୍ର ସିଂ ଧୁନ୍ନି, ଲଖନ ସିଂ ରାଜପୁତ୍‌, ସତୀଶ ଚନ୍ଦ୍ର ଦ୍ୱିବେଦୀ, ସଙ୍ଗୀତା ବଲଓ୍ବନ୍ତ ମଧ୍ୟ ପରାଜିତ ହୋଇଛନ୍ତି।

Share