Categories: ଜାତୀୟ

ବିମାନରେ ୧୧ ଡଜନ ସାପ

ମୁମ୍ବାଇ,୨୪ା୧୨ବ୍ୟାଙ୍କକ୍‌ରୁ ଆସିଥିବା ଏକ ବିମାନର ବିସ୍କୁଟ୍‌ ଏବଂ କେକ୍‌ ପ୍ୟାକେଟଗୁଡ଼ିକ ମଧ୍ୟରେ ୧୧ ଡଜନ ସାପ୍‌ ଲୁଚାଇ ରଖାଯାଇଥିଲା। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ସାପଗୁଡ଼ିକୁ ଜବତ କରାଯିବା ସହ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଯାତ୍ରୀଙ୍କ ଲଗେଜ ଯାଞ୍ଚ ବେଳେ ସାପଗୁଡ଼ିକ ମିଳିଥବା ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟର ଜଣେ ଅଧିକାରୀ କହିଛନ୍ତି। ଗିରଫ ଯାତ୍ରୀ ଜଣକ ବନ୍ୟପ୍ରାଣୀ ଚୋରାଚାଲାଣ ସିଣ୍ଡିକେଟ୍‌ ସହ ସମ୍ପୃକ୍ତ ଥିବା କୁହାଯାଉଛି। ବ୍ୟାଙ୍କକ୍‌ ଯିବାକୁ ଥିବା ପରବର୍ତ୍ତୀ ବିମାନରେ ଉକ୍ତ ସାପଗୁଡ଼ିକୁ ପଠାଇଦିଆଯାଇଛି। ଦୁଇ ଦେଶ ମଧ୍ୟରେ ଅନ୍ତର୍ଜାତୀୟ ରାଜିନାମାର ଉଲ୍ଲଂଘନ କରାଯାଇ ସାପଗୁଡ଼ିକୁ ଚାଲାଣ କରାଯାଉଥିଲା। ବିଶ୍ୱବ୍ୟାପୀ ବଡ଼ ଅପରାଧର ୨୦ ପ୍ରତିଶତ ବନ୍ୟପ୍ରାଣୀ ଚାଲାଣ ଅପରାଧ। ତେବେ ଏହାର ମାଣ୍ଡରମାଇଣ୍ଡ ଧରାପଡ଼ୁ ନାହାନ୍ତି। ବିଦେଶୀ ପ୍ରାଣୀମାନଙ୍କର ଏକ ବୃହତ୍‌ ବଜାର ରହିଛି। ଆଜିର ଦିନରେ ବନ୍ୟପ୍ରାଣୀ ସମେତ ବିଦେଶୀ ପୋଷାଜନ୍ତୁଙ୍କୁ ଘରେ ରଖିବା ଏକ ଷ୍ଟାଟସ୍‌ ସିମ୍ବଲ ହୋଇଥିବା ବନ୍ୟପ୍ରାଣୀ ଓ୍ବାଡେନ୍‌ ପଓ୍ବନ ଶର୍ମା କହିଛନ୍ତି।

Share