ଯୋଗ୍ୟ ହୋଇ ବି ମିଳିଲାନି ଆବାସ

ତିହିଡି,୧୭।୭(ସଞ୍ଜିତ ବଳ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ ଘର ଯୋଗାଇ ଦିଆଯିବା ସହ ନିର୍ମାଣ କାର୍ଯ୍ୟ ପାଇଁ ପ୍ରଥମ କିସ୍ତି ଟଙ୍କା ମଧ୍ୟ ମିଳିସାରିଛି। ଅଯୋଗ୍ୟମାନେ ଘର ହାତେଇ ନେଉଥିବା ବେଳେ ଯୋଗ୍ୟ ହିତାଧିକାରୀ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହେଉଛି। ପ୍ରଧାନମନ୍ତ୍ରୀ ଆବାସ ପାଇବାରୁ ବାଦ୍‌ ପଡ଼ିଛନ୍ତି ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଭାଟପଡ଼ା ପଞ୍ଚାୟତ ବଉଳପାଳ ଗ୍ରାମର ପ୍ରତାପ ଦୀକ୍ଷିତ। ଯୋଗ୍ୟ ହୋଇ ମଧ୍ୟ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିପାରି ନାହିଁ। ବ୍ଲକ କାର୍ଯ୍ୟାଳୟରେ ବାରମ୍ବାର ଆବେଦନ କରିବା ପରେ ବି ତାଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି।
କହନ୍ତି, ସ୍ତ୍ରୀ, ଝିଅ ପୁଅଙ୍କ ସହ ବିଧବା ଭଉଣୀଙ୍କୁ ନେଇ ତାଙ୍କ ପରିବାର। ଘରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନୁହେଁ। କୋଲକାତାରେ ଜଣେ ଦିନ ମଜୁରିଆ ଭାବେ ସେ କାମ କରନ୍ତି। ଯାହା କିଛି ରୋଜଗାର ହୁଏ ସେଥିରେ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ସହ ପରିବାର ଚଳାଇବାକୁ ନିଅଣ୍ଟ ହେଉଛି। ତାଙ୍କର କିଛି ଜମି ଥିଲେ ମଧ୍ୟ ସେ ବାହାରେ ରହୁଥିବାରୁ ଜମି ପଡ଼ିଆ ପଡୁଛି। ଏହି ଅଭାବ ଅସୁବିଧା କାରଣରୁ ରହୁଥିବା ଚାଳଘର ପ୍ରତିବର୍ଷ ଛପର କରିବା ସମ୍ଭବ ହେଉନାହିଁ। ପକ୍କାଘର ପାଇଁ ବାରମ୍ବାର ଆବେଦନ କରିବା ସତ୍ତ୍ୱେ ତାଙ୍କ ନଁା ପ୍ରଧାନମନ୍ତ୍ରୀ ଆବାସ ତାଲିକାଭୁକ୍ତ ହୋଇନାହିଁ। ଏନେଇ ସେ ବିଭିନ୍ନ ସମୟରେ ବିଡିଓଙ୍କ ଦ୍ୱାରସ୍ଥ ହୋଇ ମଧ୍ୟ ସୁଫଳ ପାଇନାହାନ୍ତି। ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ପକ୍କାଘରର ନାରାବାଜି ଦିଆଯାଉଥିବା ବେଳେ ତାଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯାଇ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଗଲେ ଦୁଃଖ ଲାଘବ ହୁଅନ୍ତା ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ବିଡିଓ ଜ୍ୟୋତିର୍ମୟ କର କହିଛନ୍ତି, ଏହି ଯୋଜନାରେ ଅଗ୍ରାଧିକାର ତାଲିକାରେ ତାଙ୍କ ନଁା ନ ଥିବାରୁ ଆବାସ ମିଳିପାରି ନାହିଁ। ତେବେ ଏ ଦିଗରେ ପଦକ୍ଷେପ ନିଆଯିବ।

Share