ଯୋଗ୍ୟତା ଥାଇ ମିଳୁନି ଆବାସ

ମାଧପୁର, ୧୧।୫ – ଆଠମଲ୍ଲିକ ବ୍ଲକ କୁଦଗାଁ ପଞ୍ଚାୟତ ନୀଳକଣ୍ଠପଡ଼ା ଗ୍ରାମର ୧୨ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ସେମାନେ ବିଡିଓଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମ୍ପୃକ୍ତ ହିତାଧିକାରୀଙ୍କ ନାମ ତାଲିକାଭୁକ୍ତ କରାଯାଇଥିଲା। ତେବେ ତଥ୍ୟ ସଂଗ୍ରହ କରିବାକୁ ଆସିଥିବା ଅନ୍ୟ ବ୍ଲକର ଅଧିକାରୀଙ୍କ ଦାୟିତ୍ୱହୀନତାରୁ ସେମାନଙ୍କ ନାମ ଚଳିତବର୍ଷ ବାଦ୍‌ ପଡ଼ିଛି। ଏ ନେଇ ସେମାନେ ଜିଲାପାଳଙ୍କୁ ଦାବିପତ୍ର ଦେଇଥିଲେ। ପୁନର୍ବାର ବିଡିଓଙ୍କୁ ଅବଗତ କରାଇଥିବା କହିଛନ୍ତି। ଦରଖାସ୍ତକାରୀମାନେ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ହକ୍‌ଦାର ହୋଇଥିବାରୁ ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଦାବି କରିଛନ୍ତି। ବିଡିଓ ସନ୍ତୋଷ ସାହୁଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିବାରୁ ମତାମତ ମିଳିପାରି ନାହିଁ।