ଯୋଗ୍ୟ ହିତାଧିକାରୀ ଉଭାନ

ଖଇରା, ୨୧।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକର ୩୭ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଯୋଗ୍ୟ ତାଲିକା ପ୍ରକାଶ ପାଇଛି । ହେଲେ ବହୁ ଯୋଗ୍ୟ ବ୍ୟକ୍ତି ବାଦ୍‌ ପଡିବା ନେଇ ବିରୋଧର ସ୍ବର ଶୁଣିବାକୁ ମିଳୁଛି । ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଧାରଣା ଆରମ୍ଭ ହୋଇଛି। ତ୍ରୁଟିପୂର୍ଣ୍ଣ ତାଲିକାକୁ ନେଇ ବିଜେଡି-ଭାଜପା ମଧ୍ୟରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଲାଣି। ସରକାରଙ୍କ ଗାଇଡଲାଇନକୁ ନେଇ ଖଇରା କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯିବା ସହ ଏଥିପାଇଁ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି।
ଗତ ୩ ଦିନ ତଳେ ୩୭ ପଞ୍ଚାୟତର ଯୋଗ୍ୟ ହିତାଧିକାରୀ ତାଲିକା ପ୍ରକାଶ ପାଇଛି । ଏଥିରେ ବହୁ ଯୋଗ୍ୟବ୍ୟକ୍ତିଙ୍କ ନାମ ଉଭାନ ହୋଇଯାଇଥିବା ବେଳେ ଅନେକ ଅଯୋଗ୍ୟ ଥିଲାବାଲାଙ୍କ ନାମ ସ୍ଥାନିତ ହୋଇଛି । ଡାଲଙ୍ଗ-୨ ପଞ୍ଚାୟତରେ ୪୬ଜଣିଆ ତାଲିକା ପ୍ରକାଶ ପାଇଥିବା ବେଳେ ଏଥିରେ ବହୁ ଗରିବ ଦିନମଜୁରିଆ ଲୋକ ବାଦ୍‌ ପଡିବା ନେଇ ଯୁବନେତା ହରେକୃଷ୍ଣ ଶତପଥୀ ଆପତ୍ତି ଉଠାଇଛନ୍ତି । ସେମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ସେ ବିଡିଓଙ୍କୁ ଜଣାଇ ସାରିଥିବା କହିଛନ୍ତି। ସେହିଭଳି ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ତାଲିକାରେ ତ୍ରୁଟିକୁ ନେଇ ବୁଧବାର ବିଭିନ୍ନ ଗ୍ରାମର ଜୟନ୍ତ ନାୟକ, ଜୟନ୍ତୀ ମହାନ୍ତି, ମାନସ କୁମାର ନାୟକ, ସ୍ବର୍ଣ୍ଣଲତା ବେହେରାଙ୍କ ସମେତ ଶତାଧିକ ବ୍ୟକ୍ତି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଦେଇ ଧାରଣାରେ ଦୀର୍ଘ ସମୟ ଧରି ବସି ରହିଥିଲେ। ସିମୁଳିଆ ଖଇରା ନିର୍ବାଚନମଣ୍ଡଳୀର ବିଶିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ଜିଲା ଉପସଭାପତି ରବୀନ୍ଦ୍ର ଶତପଥି ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସରକାର ବିଭିନ୍ନ ଯୋଜନାରେ ଲୋକଙ୍କୁ ସ୍ବାବଲମ୍ବୀ କରୁଥିବା ବେଳେ ଯୋଗ୍ୟତା ପାଇଁ ଦୁଇଚକିଆ ଯାନ, ଫ୍ରିଜ, କେସିସି, ଲ୍ୟାଣ୍ଡଲାଇନ ଭଳି ଜିନିଷକୁ ମାନଦଣ୍ଡର ଆଧାରକୁ ନିଆଯାଇଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ତୁରନ୍ତ ଏହାକୁ ସଂଶୋଧନ କରା ନ ଗଲେ ହଜାର ହଜାର ସଂଖ୍ୟାର କଂଗ୍ରେସ କର୍ମୀ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ବିଡିଓ ପର୍ଶୁରାମ ପଣ୍ଡାଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିବାରେ ପରବର୍ତ୍ତୀ ତାଲିକାରେ ବାଦ୍‌ ପଡିଥିବା ଅନ୍ୟ ବ୍ୟକ୍ତିଙ୍କର ନାମ ପ୍ରକାଶ ପାଇବ ବୋଲି କହିଛନ୍ତି।