ଆଜିକାଲି ଡାଇବେଟିସ୍ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟି ଗଲାଣି। ହେଲେ ଏହାଦ୍ୱାରା ଆକ୍ରାନ୍ତ ବ୍ୟକ୍ତି ନିଜର ଖାଦ୍ୟପେୟ ପ୍ରତି ସତର୍କତା ଅବଲମ୍ବନ କରିବା ସହ ରକ୍ତରେ ସୁଗାର ପରିମାଣ ଯେପରି ସନ୍ତୁଳିତ ରହେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଡାଇବେଟିସ୍ ପରୋକ୍ଷରେ କେତେକ ରୋଗର କାରଣ ସାଜିଥାଏ। ଏପରି କି ହାର୍ଟ ଆଟାକ, ଷ୍ଟ୍ରୋକ୍ ଆଦିର ଆଶଙ୍କା ମଧ୍ୟ ରହିଥାଏ। ତେବେ ଯଦି ଜଣେ ଡାଇବେଟିସ୍ ଆକ୍ରାନ୍ତ ବ୍ୟକ୍ତିଙ୍କର ସୁଗାର ପରିମାଣ ଅଧିକାଂଶ ସମୟ ସନ୍ତୁଳିତ ରହିଲା, ତେବେ ସେ ଷ୍ଟ୍ରୋକ୍ ପରି ମାରାତ୍ମକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା କେତେକାଂଶରେ କମ୍ ରହିଛି ବୋଲି ଜଣାପଡିଛି। ‘ସନ୍ତୁଳିତ ସୁଗାର ପରିମାଣ ଓ ଷ୍ଟ୍ରୋକ୍ ଆଶଙ୍କା’ ଶୀର୍ଷକ ବିଷୟକୁ ନେଇ କୋରିଆର ସିଓଲ୍ ନ୍ୟାଶନାଲ୍ ୟୁନିଭର୍ସିଟି କଲେଜ ଅଫ୍ ମେଡିସିନ୍ର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହି ସମୟରେ ଯେଉଁମାନଙ୍କର ସୁଗାର ସ୍ତର ଅଧିକାଂଶ ସମୟ ଅସନ୍ତୁଳିତ ରହୁଥିଲା, ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ବ୍ୟକ୍ତିଙ୍କଠାରେ ଷ୍ଟ୍ରୋକ୍ର ଲକ୍ଷଣ ଦେଖିବାକୁ ମିଳିଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି।