Categories: ଖେଳ

ଏଲିସା ହିଲି ୟୁପି ଓ୍ବାରିୟର୍ଜ ଅଧିନାୟିକା

ଲକ୍ଷ୍ନୌ,୨୩ା୨(ପି.ଟି.): ଆସନ୍ତା ମାସରେ ମୁମ୍ବାଇରେ ହେବାକୁଥିବା ଉଦ୍‌ଘାଟନୀ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ପାଇଁ ୟୁପି ଓ୍ବାରିୟର୍ଜ ଅଷ୍ଟ୍ରେଲୀୟ ଉଇକେଟକିପର ବ୍ୟାଟର ଏଲିସା ହିଲିଙ୍କୁ ଦଳର ଅଧିନାୟିକା ମନୋନୀତ କରିଛି। କାପ୍ରି ଓ୍ବାରିୟର୍ଜ ହୋଲ୍‌ଡିଂ ପ୍ରାଇଭେଟ ଲିମିଟେଡ୍‌ ହେଉଛି ୟୁପି ଓ୍ବାରିୟର୍ଜ ଫ୍ରାଞ୍ଚାଇଜର ମାଲିକ। ହିଲି ହେଉଛନ୍ତି ଅଭିଜ୍ଞ ଓ ମହିଳା କ୍ରିକେଟରେ ଏକ ପରିଚିତ ନାମ। ସେ ଅଷ୍ଟ୍ରେଲିଆ ତରଫରୁ ୧୩୯ ଟି୨୦ ଖେଳି ୧୪ ଅର୍ଦ୍ଧଶତକ ସହ ୨,୫୦୦ ପାଖାପାଖି ରନ ସଂଗ୍ରହ କରିଛନ୍ତି। ଏହି ଖେଳରେ ତାଙ୍କୁ ଅନ୍ୟତମ ଶ୍ରେଷ୍ଠ ଉଇକେଟକିପର ବ୍ୟାଟର ବିବେଚନା କରାଯାଏ। ଇଂଲଣ୍ଡର ଜନ୍‌ ଲିଓ୍ବିସ ୟୁପି ଓ୍ବାରିୟର୍ଜର କୋଚ୍‌ ରହିଥିବା ବେଳେ ଅଞ୍ଜୁ ଜୈନ ସହକାରୀ କୋଚ୍‌ ରହିଛନ୍ତି। ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଆଶ୍‌ଲେ ନୋଫ୍‌କି ବୋଲିଂ କୋଚ୍‌ ରହିଥିବା ବେଳେ ୪ଥର ବିଶ୍ୱଚାମ୍ପିୟନ ଲିସା ଷ୍ଠାଲେକର ଦଳର ମେଣ୍ଟର ଅଛନ୍ତି। ଡବ୍ଲ୍ୟୁପିଏଲ୍‌ ମାର୍ଚ୍ଚ ୪ରୁ ୨୬ ପର୍ଯ୍ୟନ୍ତ ମୁମ୍ବାଇରେ ଖେଳାଯିବ। ବ୍ରାବୋର୍ନ ଷ୍ଟାଡିୟମ ଓ ଡିଓ୍ବାଇ ପାଟିଏ ଷ୍ଟାଡିୟମରେ ମୋଟ ୨୨ଟି ମ୍ୟାଚ ଖେଳାଯିବ। ଟୁର୍ନାମେଣ୍ଟରେ ୟୁପି ଓ୍ବାରିୟର୍ଜ ଏହାର ପ୍ରଥମ ମ୍ୟାଚ ମାର୍ଚ୍ଚ ୫ରେ ଗୁଜରାଟ ଜାଏଣ୍ଟ୍ସ ବିପକ୍ଷରେ ଖେଳିବ।
ୟୁପି ଓ୍ବାରିୟର୍ଜ ଦଳ: ଏଲିସା ହିଲି (ଅଧିନାୟକ), ସୋଫି ଏକ୍ଲେଷ୍ଟୋନ୍‌, ଦୀପ୍ତି ଶର୍ମା, ଟାଲିଆ ମ୍ୟାକ୍‌ଗ୍ରା, ଶବନିମ ଇସ୍‌ମାଇଲ, ଅଞ୍ଜଳି ସାର୍ବନୀ, ରାଜେଶ୍ୱରୀ ଗାଏକ୍ୱାଡ, ପାର୍ଶ୍ୱବୀ ଚୋପ୍ରା, ଶ୍ୱେତା ଶେରାଓ୍ବତ, ଏସ୍‌. ୟାଶାରି, କିରଣ ନାଭଗିରେ, ଗ୍ରେସ୍‌ ହାରିସ, ଦେବୀକା, ବୈଦ୍ୟ, ଲରେନ ବେଲ୍‌, ଲକ୍ଷ୍ମୀ ଯାଦବ ଓ ସିମ୍‌ରନ ଶେଖ୍‌।

Share