ଟୁଇଟରର ନୀଳ ପକ୍ଷୀକୁ କୁକୁରରେ ପରିବର୍ତ୍ତନ କଲେ ମସ୍କ

ଓ୍ବାଶିଂଟନ,୪।୪: ଟୁଇଟର ମାଲିକ ଏଲନ ମସ୍କ ଏହି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମର ଫିଚରରୁ ନେଇ ଏହାର ସମ୍ପୂର୍ଣ୍ଣ ରୂପରେଖକୁ ପରିବର୍ତ୍ତନ କରିବାରେ ଲାଗିପଡିଛନ୍ତି। ଏହି କ୍ରମରେ ଟୁଇଟରର ଚିର ପରିଚିତ ’ବାର୍ଡ ଲୋଗୋ’ ଅର୍ଥାତ୍‌ ନୀଳ ପକ୍ଷିର ଟ୍ରେଡମାର୍କ ଚିହ୍ନକୁ ବଦଳାଇ ଦେଇଛନ୍ତି। ଟୁଇଟରର ଡେକ୍ସଟପ ୟୁଜର୍ସଙ୍କୁ ଏବେ ନୀଳ ପକ୍ଷି ସ୍ଥାନରେ କୁକୁରର ଛବି ନଜର ଆସିବ। ନିଜେ ମସ୍କ ଏହାକୁ ନେଇ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଏକ କାର୍ଟୁନ ଟୁଇଟ କରିଛନ୍ତି। ଯେଉଁଥିରେ ସେହି କୁକୁର ଜଣେ ଟ୍ରାଫିକ ପୋଲିସଙ୍କୁ ନିଜର ଆଇଡି କାର୍ଡ ଦେଖାଉଛି ଓ ଏଥିରେ ଲାଗିଥିବା ଟୁଇଟର ପକ୍ଷିକୁ ପୁରୁଣା ଛବି ବୋଲି କହୁଛି।
ଏବେ ପ୍ରଶ୍ନ ଉଠିଛି ଏହି କୁକୁରଟି କିଏ, ମସ୍କ ଏମିତି ପରିବର୍ତ୍ତନ କାହିଁକି କରିଛନ୍ତି। ମସ୍କ ଲଗାତାର ଭାବେ ଏହି କୁକୁରକୁ କାହିଁକି ପ୍ରମୋଟ କରୁଛନ୍ତି। ଏହି କୁକୁର କାହିଁକି ଏତେ ପରିଚିତ।
ଏହାକୁ ନେଇ ମସ୍କ ଏକ ଟୁଇଟ କରିଛନ୍ତି, ଯେ ପୂର୍ବରୁ ମୁଁ ଯେଉଁ କଥା ଦେଇଥିଲି। ଅର୍ଥାତ୍‌ ଟୁଇଟର ପକ୍ଷିକୁ ପରିବର୍ତ୍ତନ କରିବାକୁ ମସ୍କ ଯେଉଁ କଥା ଦେଇଥିଲେ ତାହାକୁ ଏବେ ସେ କାର୍ଯ୍ୟକାରୀ କରିଛନ୍ତି।

Share