ଓ୍ବାଶିଂଟନ୍, ୧୯ା୫: ଟୁଇଟର ଡିଲ୍କୁ ନେଇ ଚର୍ଚ୍ଚାରେ ଥିବା ଏଲନ୍ ମସ୍କ ଏବେ ଆମେରିକାର ଶାସକ ଦଳ ଡେମୋକ୍ରାଟିକ୍ ପାର୍ଟିକୁ ସମାଲୋଚନା କରିଛନ୍ତି। ଏଣିକି ସେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଦଳ ରିପବ୍ଲିକାନ୍କୁ ଭୋଟ ଦେବେ ବୋଲି ଟୁଇଟ୍ କରିଛନ୍ତି। ମସ୍କ କହିଛନ୍ତି, ପୂର୍ବରୁ ସେ ଡେମୋକ୍ରାଟିକ୍ ଦଳକୁ ଭୋଟ ଦେଇଥିଲେ। କାରଣ ଏହା ଏକ ଦୟାଳୁ ପାର୍ଟି ଥିଲା। କିନ୍ତୁ ଏବେ ତାହା ବିଭାଜନ ଓ ଘୃଣା ଦଳ ପାଲଟିଛି। ତେଣୁ ଆଉ ସେ ଡେମୋକ୍ରାଟକୁ ସମର୍ଥନ କରିପାରିବେ ନାହିଁ। ଆଗକୁ ସେମାନେ କିପରି ତାଙ୍କ ବିରୋଧରେ ପ୍ରଚାର କରୁଛନ୍ତି ତାହା ଦେଖି ବୋଲି ମସ୍କ ଲେଖିଛନ୍ତି। ଧନୀକଙ୍କଠାରୁ ଅଧିକ ଟିକସ ଆଦାୟ ପ୍ରସ୍ତାବକୁ କେନ୍ଦ୍ର କରି ସେ ଜୋ ବାଇଡେନ୍ଙ୍କ ପ୍ରଶାସନକୁ ସମାଲୋଚନା କରିଆସୁଛନ୍ତି। ରାଜନୀତିକୁ ନେଇ ମସ୍କଙ୍କ ଏହି ଟୁଇଟ ପରେ ଟେସ୍ଲା ଶେୟାର ଚଳିତ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏଥିଯୋଗୁ ମସ୍କଙ୍କ ୧୨ବିଲିୟନ ଡଲାର କ୍ଷତି ହୋଇଛି ବୋଲି ସୂଚନା ରହିଛି।