ଟେସ୍‌ଲା ମାଲିକଙ୍କ ଅଛନ୍ତି ୯ସନ୍ତାନ

ଓ୍ବାଶିଂଟନ୍‌, ୭ା୭: ଟେସ୍‌ଲା ମାଲିକ ଏଲନ୍‌ ମସ୍କ(୫୧) ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ମସ୍କ ପୂର୍ବରୁ ୭ସନ୍ତାନଙ୍କ ବାପା ବୋଲି ଜଣାପଡ଼ିଥିବା ବେଳେ ଏବେ ତାଙ୍କ ଆଉ ଦୁଇ ଶିଶୁ ରହିଥିବା ଖବର ସାମ୍‌ନାକୁ ଆସିଛି। ମସ୍କଙ୍କ ବ୍ରେନ୍‌-ଚିପ୍‌ ଷ୍ଟାର୍ଟଅପ୍‌ ନ୍ୟୁରାଲିଙ୍କ୍‌ର ଜଣେ ଟପ୍‌ ଏକ୍ସିକ୍ୟୁଟିଭ୍‌ ଶିଭୋନ୍‌ ଜିଲିସ୍‌(୩୬) ୨୦୨୧ ନଭେମ୍ବରରେ ଦୁଇ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଏହି ଶିଶୁଙ୍କ ବାପା ଏଲନ୍‌ ମସ୍କ ବୋଲି ଜଣାପଡ଼ିଛି। ଗତ ଏପ୍ରିଲରେ ମସ୍କ ଏବଂ ଜିଲିସ୍‌ ଟେକ୍ସାସ୍‌ କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ଏହି ପିଲାଙ୍କ ନାମ ଶେଷରେ ପିତା ମସ୍କଙ୍କ ନାଁ ଏବଂ ନାଁ ମଝିରେ ମା’ ଜିଲିସ୍‌ ନାମ ରଖିବା ପାଇଁ ଏଥିରେ ଦର୍ଶାଇଥିଲେ। ଗତ ମେ’ରେ ଏହି ପିଟିଶନକୁ ମଞ୍ଜୁରୀ ମିଳିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଜିଲିସ୍‌ଙ୍କଠାରୁ ୨ଶିଶୁ ପୂର୍ବରୁ ମସ୍କଙ୍କ ୭ସନ୍ତାନ ରହିଛନ୍ତି। ଜିଲିସ୍‌ଙ୍କ ଲିଙ୍କେଡିନ୍‌ ପ୍ରୋଫାଇଲ ଅନୁସାରେ ସେ ନ୍ୟୁରାଲିଙ୍କ୍‌ର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି। ୨୦୧୭ ମେ’ରୁ ସେ ଏହି କମ୍ପାନୀରେ ଯୋଗ ଦେଇଥିଲେ। ଏଥିସହ ଟେସ୍‌ଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଏକ ପ୍ରୋଜେକ୍ଟର ନିର୍ଦ୍ଦେଶକ ଭାବେ ମଧ୍ୟ ସେ କାମ କରିଛନ୍ତି।

 

Share