ଟୁଇଟର ଡିଲ୍‌କୁ ସ୍ଥଗିତ ରଖିଲେ ମସ୍କ

ଓ୍ବାଶିଂଟନ୍‌,୧୩।୫: ବିଶ୍ୱର ଧନଶାଳୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲୋନ ମସ୍କ ନିକଟରେ ଟୁଇଟର କିଣିବା ନେଇ ଘୋଷଣା କରିବା ପରେ ଚର୍ଚ୍ଚାକୁ ଆସିଥିଲେ। ପୁଣି ଏଲୋନ ମସ୍କ ତାଙ୍କର ଆଉ ଏକ ଟୁଇଟକୁ ନେଇ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଶୁକ୍ରବାର ମସ୍କ ଏକ ଟୁଇଟ କରି କହିଛନ୍ତି ଯେ, ବର୍ତ୍ତମାନ ୪୪ ବିଲିୟନ ଡଲାରର ଟୁଇଟର ଡିଲ୍‌କୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ସୂଚନାଯୋଗ୍ୟ, ଏପ୍ରିଲରେ ଏଲୋନ ମସ୍କ ଟୁଇଟରକୁ କିଣିବା ପାଇଁ ୪୪ ବିଲିୟନ ଡଲାରର ଡିଲ୍‌ ସ୍ବାକ୍ଷର କରିଥିଲେ। ଏହି ଡିଲ୍‌ ଚଳିତ ବର୍ଷ ଶେଷ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଥିଲା। ହେଲେ ଏବେ ଏହାକୁ ସ୍ଥଗିତ ରଖାଯାଇଛି। ମସ୍କଙ୍କ ଏଭଳି କରିବା ପଛର କାରଣ ହେଉଛି, ନକଲି ଟୁଇଟର ଆକାଉଣ୍ଟ। ସୂଚନା ମୁତାବକ, ଟୁଇଟର ପୂର୍ବରୁ ଆକଳନ କରିଥିଲା ଯେ, ମିଥ୍ୟା କିମ୍ବା ସ୍ପାମ ଆକାଉଣ୍ଟଗୁଡିକ ଏହାର ଦୈନିକ ବ୍ୟବହାରକାରୀଙ୍କ ସଂଖ୍ୟା ୫ପ୍ରତିଶତରୁ କମ୍‌। ତେବେ ‘ସ୍ପାମ ବଟ’କୁ ହଟାଇବା ତାଙ୍କର ପ୍ରାଥମିକତା ବୋଲି ମସ୍କ କହିଛନ୍ତି। ତେଣୁ ଯେପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ, ସ୍ପାମ କିମ୍ବା ନକଲି ଆକାଉଣ୍ଟର ମାଇକ୍ରୋବ୍ଲଗିଂ ସାଇଟ୍‌ର ମୋଟ ୟୁଜର୍ସ ୫ପ୍ରତିଶତରୁ କମ୍‌ ଅଛନ୍ତି ସେପର୍ଯ୍ୟନ୍ତ ଏହି ଡିଲ୍‌ ଚୂଡାନ୍ତ ହୋଇପାରିବ ନାହିଁ ବୋଲି ମସ୍କ କହିଛନ୍ତି। ସୂଚନାଯୋଗ୍ୟ, ସୋସିଆଲ ମିଡିଆ ପ୍ଲାଟଫର୍ମରେ ୨୨.୯ କୋଟି ଆକ୍ଟିଭ୍‌ ୟୁଜର୍ସ ରହିଛନ୍ତି ବୋଲି ନିକଟରେ ଟୁଇଟର ସୂଚନା ଦେଇଥିଲା। ଏଥିସହ ତା’ର ପ୍ଲାଟଫର୍ମରେ ୫ପ୍ରତିଶତ କିମ୍ବା ତାଠାରୁ ବି କମ୍‌ ସ୍ପାମ ବା ନକଲି ଆକାଉଣ୍ଟ ୟଜର୍ସ ରହିଛନ୍ତି ବୋଲି ଟୁଇଟର ପକ୍ଷରୁ କୁହାଯାଇଥିଲା।

Share