ମସ୍କଙ୍କ ବଡ ଘୋଷଣା: କେବଳ ବ୍ଲୁ ନୁହେଁ ୩ଟି ଭିନ୍ନ ଭିନ୍ନ ରଙ୍ଗରେ ହେବ ଟୁଇଟରର ‘ଭେରିଫାଇଡ ବ୍ୟାଜ’

ୱଶିଂଟନ,୨୫ ।୧୧: ମାଇକ୍ରୋବ୍ଲଗିଂ ସାଇଟ ଟୁଇଟରର ନୂଆ ମାଲିକ ଏଲନ ମସ୍କ କହିଛନ୍ତି ଟୁଇଟରର ଭେରିଫାଏଡ ସର୍ଭିସରେ ଖୁବଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି । ବିଲେନିୟର ମସ୍କ ଶୁକ୍ରବାର ଘୋଷଣା କରିଛନ୍ତି କି କମ୍ପାନୀ ଟୁଇଟର ଆକାଉଣ୍ଟ ପାଇଁ ଭିନ୍ନ ଭିନ୍ନ ରଙ୍ଗର ଟିକ ମାର୍କ ଆଣିବାର ଯୋଜନା ଆରମ୍ଭ କରିବ । ମସ୍କ କହିଛନ୍ତି ଆସନ୍ତା ସପ୍ତାହରୁ ଟୁଇଟର ଆକାଉଣ୍ଟ ଲାଗି ବ୍ଲୁ ରଙ୍ଗର ଟିକ ମାର୍କ ବ୍ୟତୀତ ଗୋଲଡେନ ଓ ଗ୍ରେ ରଙ୍ଗର ଟିକ ମାର୍କ ଆରମ୍ଭ କରାଯିବ ।
ମସ୍କ ଟୁଇଟ କରି କହିଛନ୍ତି, ବିଳମ୍ବ ପାଇଁ ଦୁଖିତ । ଆମେ ଆସନ୍ତା ସପ୍ତାହରୁ ଭେରିଫାଏଡ ପଲିସିରେ ପରିବର୍ତ୍ତନ କରୁଛୁ । କମ୍ପାନୀଗୁଡିକ ପାଇଁ ଗୋଲଡେନ, ସରକାର ଓ ସରକାରୀ ସଂସ୍ଥା ପାଇଁ ଗ୍ରେ ଓ ସାଧାରଣ ଜନତାଙ୍କ ପାଇଁ ବ୍ଲୁ ରଙ୍ଗର ଟିକ ମାର୍କ ଦିଆଯିବ । ଏହା କଷ୍ଟକର, ହେଲେ ଜରୁରୀ ।
ମସ୍କ ଏକ ଅନ୍ୟ ଟୁଇଟରେ କହିଛନ୍ତି ଏବେ ସମସ୍ତ ଭେରିଫାଏଡ ଆକାଉଣ୍ଟର ବ୍ଲୁ ରଙ୍ଗର ଟିକ ମାର୍କ ରହିବ । ସୂଚନାଯୋଗ୍ୟ, ଟୁଇଟରର ନୂଆ ମାଲିକ ହେବା ପରେ ମସ୍କ ଲଗାତାର ଅନେକ ପରିବର୍ତ୍ତନ କରି ଚାଲିଛନ୍ତି । ସର୍ବ ପ୍ରଥମେ ସେ ଟୁଇଟରର ସିଇଓ ପରାଗ ଅଗ୍ରୱାଲଙ୍କୁ ବାହାରର ରାସ୍ତା ଦେଖାଇ ଦେଇଥିଲେ । ଏହାପରେ ସେ କମ୍ପାନୀର ହଜାର ହଜାର କର୍ମଚାରୀଙ୍କୁ ବି ଛଟେଇ କରିଥିଲେ ।

Share