ଏଲନ ମସ୍କଙ୍କୁ ଝଟକା, ଟୁଇଟର ମୁଖ୍ୟାଳୟରୁ ହଟାଇବାକୁ ପଡ଼ିଲା ନୂଆ ଲୋଗୋ ‘X’

କାଲିଫର୍ନିଆ,୧।୮: ଗତ କିଛି ଦିନ ହେବ ଏଲନ ମସ୍କଙ୍କ ଟୁଇଟର ହେଡଲାଇନରେ ରହିଆସିଛି। ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ଏହାର ନୂତନ ଲୋଗୋ ସମ୍ବନ୍ଧରେ ଘୋଷଣା କରି ଆଲୋଚନାର ବିଷୟ ପାଲଟିଛ। ନିକଟରେ ମସ୍କ ଟୁଇଟର ଲୋଗୋ ପରିବର୍ତ୍ତନ କରିଥିଲେ। ବର୍ତ୍ତମାନ ଟୁଇଟରରେ ଦେଖାଯାଉଥିବା ‘ପକ୍ଷୀ’ ଲୋଗୋ ସ୍ଥାନରେ ନୂଆ ଲୋଗୋ ‘X’ ରହିଛି। ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପରେ ମସ୍କ ସାନ ଫ୍ରାନ୍ସିସ୍କୋରେ ଥିବା ଟୁଇଟର ମୁଖ୍ୟାଳୟରେ ଏକ ‘X’ ଚିହ୍ନ ଲଗାଇଥିଲେ। ଯାହା ଏକ ଅଭିଯୋଗ ପରେ ବର୍ତ୍ତମାନ ହଟାଇ ଦିଆଯାଇଛି।

ଉଲ୍ଲେଖନୀୟ କଥା ହେଉଛି, ନିକଟରେ ଲୋଗୋ ବଦଳାଇବା ପରେ ଏଲନ ମସ୍କ ନିଜେ ସୋସିଆଲ ମିଡିଆରେ ଏହାର ଫଟୋ ଶେୟାର କରିଥିଲେ। ଯେଉଁଥିରେ ଟୁଇଟରର ସାନ ଫ୍ରାନ୍ସିସ୍କୋସ୍ଥିତ ମୁଖ୍ୟାଳୟରେ ଏକ ବୃହତ ‘X’ ଲୋଗୋ ଦେଖିବାକୁ ମିଳିଥିଲା। ଯାହାକୁ ବର୍ତ୍ତମାନ ହଟାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ ପଡୋଶୀମାନଙ୍କ ଅଭିଯୋଗ ପରେ ଲୋଗୋ ହଟାଇ ଦିଆଯାଇଛି। ତେବେ ଲୋଗୋ ହଟାଇବାର କାରଣ ବିଷୟରେ ମସ୍କ ଏବଂ ତାଙ୍କ କମ୍ପାନୀ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦେଇନାହାଁନ୍ତି।

ଅଭିଯୋଗକାରୀମାନେ ଦାବି କରିଛନ୍ତି ଯେ, ଲୋଗୋର ଆଲୋକ ରାତିରେ ଆଖପାଖ ଲୋକଙ୍କୁ ସମସ୍ୟା ସୃଷ୍ଟି କରୁଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, ବିଲଡିଂ ଉପରେ ଆଲୋକ ସହିତ ‘X’ ଲୋଗୋ ଲଗାଯିବା ପରେ ନଗର ନିର୍ମାଣ ବିଭାଗରେ ପ୍ରାୟ ୨୪ଟି ଅଭିଯୋଗ ଦାଖଲ କରାଯାଇଥିଲା। ଅଧିକାଂଶ ଲୋକ ଅଭିଯୋଗ କରିଛନ୍ତି ଯେ, ଏହି ଆଲୋକ ସେମାନଙ୍କୁ ହଇରାଣ କରୁଛି, ତେଣୁ ଏହାକୁ ବିଲଡିଂରୁ ହଟାଇବା ଉଚିତ୍‌।

Share