ଏଲନ୍‌ ମସ୍କଙ୍କ କମ୍ପାନୀରେ ନିଯୁକ୍ତି ପାଇଛନ୍ତି ସବୁଠୁ କମ୍‌ ବୟସ୍କ ଇଞ୍ଜିନିୟର

ଓ୍ବାଶିଂଟନ,୧୧ା୬: ଏଲନ ମସ୍କଙ୍କ କମ୍ପାନୀ ‘ସ୍ପେସ୍‌ଏକ୍ସ’ ଜଣେ ୧୪ ବର୍ଷୀୟ ସଫ୍ଟଓ୍ବେୟାର ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଇଛି। ଯିଏ କମ୍ପାନୀର ‘ଟେକ୍ନିକାଲ ଚ୍ୟାଲେଞ୍ଜିଂ’ ଏବଂ ‘ଫନ୍‌’ ଇଣ୍ଟରଭ୍ୟୁରେ ପାସ୍‌ କରିଛନ୍ତି। ‘ସ୍ପେସ୍‌ଏକ୍ସ’ ଦ୍ୱାରା ନିଯୁକ୍ତି ପାଇଥିବା ସବୁଠୁ କମ୍‌ ବୟସ୍କ ଇଞ୍ଜିନିୟରଙ୍କ ନାମ କୈରାନ୍‌ କ୍ୱାଜି ।

ଏକ ରିପୋର୍ଟ ଅନୁଯାୟୀ, ସେ ୧୧ ବର୍ଷ ବୟସରେ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ଅଧ୍ୟୟନ ଆରମ୍ଭ କରିଥିଲେ। ଚଳିତ ମାସରେ ସାଣ୍ଟା କ୍ଲାରା ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିବେ।

‘ସ୍ପେସ୍‌ଏକ୍ସ’ରେ ତାଙ୍କର ନୂଆ କାର୍ଯ୍ୟ ଆରମ୍ଭ କରିବାକୁ କ୍ୱାଜି ଉତ୍ସାହିତ ଅଛନ୍ତି ଏବଂ ମଙ୍ଗଳ ଗ୍ରହରେ ମନୁଷ୍ୟ ପଠାଇବା ଲକ୍ଷ୍ୟ ହାସଲ କରିବାରେ କମ୍ପାନୀକୁ ସାହାଯ୍ୟ କରିବା ପାଇଁ ସେ ତାଙ୍କ ଦକ୍ଷତା ବ୍ୟବହାର କରିବାକୁ ଆଶାବାଦୀ ଅଛନ୍ତି।

ସେ ଲିଙ୍କ୍‌ଦିନ୍‌ରେ ଲେଖିଛନ୍ତି, ‘ମୁଁ ଷ୍ଟାରଲିଙ୍କ ଇଞ୍ଜିନିୟରିଂ’ ଦଳରେ ସଫ୍ଟୱେୟାର ଇଞ୍ଜିନିୟର ଭାବରେ ପୃଥିବୀର ସବୁଠାରୁ ସୁନ୍ଦର କମ୍ପାନୀରେ ଯୋଗଦେବି। ଏକ ବିରଳ କମ୍ପାନୀ ଯାହା ମୋ’ ବୟସକୁ ଧ୍ୟାନ ନ ଦେଇ ମୋର ପରିପକ୍ୱତା ଏବଂ ଦକ୍ଷତା ପ୍ରତି ବିଶ୍ୱାସ ରଖିଛି।କ୍ୱାଜି ‘ସ୍ପେସ ଏକ୍ସ’ରେ କାମ ଆରମ୍ଭ କରିବା ପାଇଁ ତାଙ୍କ ମା’ଙ୍କ ସହ କାଲିଫର୍ନିଆର ପ୍ଲାସାଣ୍ଟନରୁ ରେଡମଣ୍ଡ, ଓ୍ବାଶିଂଟନ ଯିବାକୁ ଯୋଜନା କରୁଛନ୍ତି।

ଏହି ବର୍ଷ ଆରମ୍ଭରେ କ୍ୱାଜି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଥିଲେ ଯେ, ସେ ଏକ ଚାକିରି ସାକ୍ଷାତକାର ପାଇଁ ପ୍ରସ୍ତୁତ ହେଉଛନ୍ତି। ସପ୍ତାହ ପରେ ସେ ‘ସ୍ପେସଏକ୍ସ’ରୁ ତାଙ୍କ ଜଏନିଂ ଲେଟରର ଏକ ସ୍କ୍ରିନଶଟ୍‌ ଶେୟାର କରିଥିଲେ।

Share