ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାରେ ଏଲନ ମସ୍କଙ୍କ ବିବାଦୀୟ ବୟାନ, କହିଲେ କମଲା-ବାଇଡେନଙ୍କୁ ତ କେହି…

ଓ୍ବାଶିଂଟନ,୧୬ା୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଦ୍ୱିତୀୟଥର ଗୁଳିମାଡ଼ ହୋଇ ହତ୍ୟା ଉଦ୍ୟମ କରାଯାଇଛି। ଏହା ପରେ ବିଶ୍ୱର ପ୍ରତିଷ୍ଠିତ ଶିଳ୍ପପତି ଏଲନ୍‌ ମସ୍କ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ଉଦ୍‌ବେଗ ପ୍ରକାଶ କରି ଲେଖିଛନ୍ତି, କମଲା ହାରିସ୍‌ ଏବଂ ଜୋ ବାଇଡେନଙ୍କୁ ହତ୍ୟା କରିବା ପାଇଁ କେହି ବି ଉଦ୍ୟମ କରୁନାହାନ୍ତି। ମସ୍କଙ୍କ ଏହି ଟୁଇଟ୍‌ ପରେ ସୋସିଆଲ ମିଡିଆରେ ଉତ୍ତେଜନା ପ୍ରକାଶ ପାଇଛି। କେହି କେହି ମସ୍କଙ୍କୁ ପ୍ରଶ୍ନ କରୁଛନ୍ତି ତ ଆଉ କେହି ସମର୍ଥନ ଜଣାଉଛନ୍ତି।

ମସ୍କଙ୍କୁ ଜଣେ ୟୁଜର ଟ୍ରମ୍ପଙ୍କୁ କାହିଁକି ହତ୍ୟା କରିବାକୁ ଚାହୁଁଛନ୍ତି ବୋଲି ପଚାରିଥିଲେ। ଅନ୍ୟ ଜଣେ ୟୁଜର ମସ୍କକୁ ଲକ୍ଷ୍ୟ କରି କହିଥିଲେ, ‘ତୁମର କ’ଣ ଭୁଲ୍‌ ଅଛି, କିଛି ପୋଷ୍ଟ କରିବା ପୂର୍ବରୁ କିଛି ଭାବୁଛ ନା ନାହିଁ?’ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, କେହି କାହାକୁ ମାରିବାକୁ ଚେଷ୍ଟା କରୁନାହାନ୍ତି। ଏହା ବ୍ୟତୀତ ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି, ବାଇଡେନଙ୍କ ଯୁଗରେ ଟ୍ରମ୍ପଙ୍କ ବିରୋଧରେ ଅନେକ ଘଟଣା ଘଟିଛି, ତାଙ୍କୁ କାହିଁକି ବାରଣ କରାଯାଉ ନାହିଁ? ଏହି ଆକ୍ରମଣ ପରେ ଟ୍ରମ୍ପ ମଧ୍ୟ ଟୁଇଟ୍‌ କରିଛନ୍ତି।

ଫ୍ଲୋରିଡାରେ ଗଲ୍ଫ ଖେଳୁଥିବା ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ପୁଣି ଗୁଳିମାଡ଼ ହୋଇଛି। ତେବେ ଟ୍ରମ୍ପଙ୍କ ଦେହରେ ଗୁଳି ବାଜି ନାହିଁ। ସେ ସୁରକ୍ଷିତ ଥିବା ଜଣାପଡ଼ିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କଠାରୁ ଏକେ-୪୭ ରାଇଫଲ୍‌ ଜବତ କରାଯାଇଛି। ଏଫ୍‌ବିଆଇ ପୋଲିସ ତଦନ୍ତ କରୁଛି।

ସୂଚନା ଥାଉକି,  ପୂର୍ବରୁ ଜୁଲାଇ ୧୩ରେ ପେନ୍‌ସିଲ୍‌ଭାନିଆରେ ମଧ୍ୟ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା।  ଆୟୋଜିତ ଏକ ରାଲିରେ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ଗୁଳି ଶବ୍ଦ ଶୁଣି ଟ୍ରମ୍ପଙ୍କ ଅଙ୍ଗରକ୍ଷୀମାନେ ତାଙ୍କୁ ମଞ୍ଚ ଉପରୁ ଓହ୍ଲାଇ ଦେଇଥିଲେ । ଏହି ସମୟରେ ତାଙ୍କର ଡାହାଣ କାନରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା । ଟ୍ରମ୍ପ ଅଳ୍ପକେ ବର୍ତ୍ତି ଯାଇଥିଲେ । ଅନ୍ୟପଟେ ଏହି ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିଲା ।

Share