‘ଅରବପତି ପୁଅ ପାଇଁ ମୁଁ ଗର୍ବିତ ନୁହେଁ’

ନ୍ୟୁୟର୍କ,୨।୮: ଟେସଲା ମୁଖ୍ୟ ଏଲନ ମସ୍କଙ୍କ ପିତା ଏରୋଲ ମସ୍କ ଆଜିକାଲି ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ସେ ସ୍ବୀକାର କରିଛନ୍ତି ଯେ ସେ ତାଙ୍କ ଅରବପତି ପୁଅ ପାଇଁ ଗର୍ବିତ ନୁହଁନ୍ତି କାରଣ ସମଗ୍ର ମସ୍କ ପରିବାର ଅନେକ ଦିନ ଧରି ବହୁତ କିଛି ହାସଲ କରିଛି। ଅଷ୍ଟ୍ରେଲୀୟ ରେଡିଓ ଷ୍ଟେସନ କିସ୍‌ ଏଫ୍‌ଏମ୍‌ର ଏକ ଶୋ’ରେ ୭୬ ବର୍ଷୀୟ ଏରୋଲ ମସ୍କ ପରିବାର ବିଷୟରେ ଅନେକ କିଛି ଖୁଲାସା କରିଥିଲେ।
ଏରୋଲଙ୍କୁ ପଚରାଗଲା, ଆପଣଙ୍କ ପୁଅ ବହୁତ ଟଙ୍କା ରୋଜଗାର କରିଛନ୍ତି, ଆପଣ ତାଙ୍କ ପାଇଁ ଗର୍ବିତ କି? ଏହାର ଜବାବରେ ସେ କହିଥିଲେ, ନା। ଆପଣ ଜାଣନ୍ତି, ଆମର ଏମିତି ଏକ ପରିବାର, ଯାହାକି ଦୀର୍ଘ ଦିନ ହେବ ବହୁତ କିଛି ହାସଲ କରିଛି। ହଠାତ୍‌ ସବୁକିଛି ହୋଇଯାଇ ନାହିଁ। ମୋର ପ୍ରଥମ ସ୍ତ୍ରୀ ମେୟ ମସ୍କ ସହ ମୁଁ ଆମର ୩ ସନ୍ତାନ ଏଲନ, ଟୋସ୍କା ଏବଂ କିମ୍ବଲ ଛୋଟ ଥିବାବେଳେ ସାରା ବିଶ୍ୱ ଭ୍ରମଣ କରିଛୁ। ସେମାନେ ଅନେକ ଜିନିଷ ଦେଖିଛନ୍ତି ଏବଂ ଆମେ ଏକାଠି ଅନେକ କାର୍ଯ୍ୟ ମଧ୍ୟ କରିଛୁ, କିନ୍ତୁ ଏଲନ ବାସ୍ତବରେ ଅଧିକ ଆଗକୁ ଯାଇଛନ୍ତି। ଏଲନ ଅନୁଭବ କରୁଛନ୍ତି ଯେ,ସେ ନିଜ କ୍ୟାରିୟରରେ ନିର୍ଦ୍ଧାରିତ ପାଞ୍ଚ ବର୍ଷ ପଛରେ ଚାଲିଛନ୍ତି। ତାଙ୍କୁ ବର୍ତ୍ତମାନ ୫୦ ବର୍ଷ ହୋଇଛି। ମୁଁ ତଥାପି ତାଙ୍କୁ ଏକ ଛୋଟ ପିଲା ବୋଲି ଭାବୁଛି। ସେ ଆଗକୁ ଆହୁରି ଅନେକ କିଛି କରିବେ ବୋଲି ସେ କହିଛନ୍ତି।

Share