ଓ୍ବାଶିଂଟନ,୫।୧୨: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବୁଧବାର ବିଲିୟନେୟାର ଉଦ୍ୟୋଗୀ ଜାରେଡ୍ ଇସାକ୍ମ୍ୟାନ୍ଙ୍କୁ ପରବର୍ତ୍ତୀ ନାସା ମୁଖ୍ୟ ଭାବେ ମନୋନୀତ କରିଛନ୍ତି। କିଛି ଦିନ ତଳେ ଇସାକ୍ମ୍ୟାନ ପ୍ରଥମ ପ୍ରାଇଭେଟ୍ ଆଷ୍ଟ୍ରୋନଟ୍ ଭାବେ ସ୍ପେସ୍ଓ୍ବାକ୍ କରି ଇତିହାସ ରଚିଥିଲେ। ୪୧ ବର୍ଷୀୟ ଇସାକ୍ମ୍ୟାନ୍ ‘ସିଫ୍ଟଫର୍ ପେମେଣ୍ଟସ୍’ କମ୍ପାନୀର ସିଇଓ ହୋଇଥିବା ବେଳେ ସ୍ପେସ୍ ଏକ୍ସ’ ସିଇଓ ଏଲନ୍ ମସ୍କଙ୍କ ସହ ତାଙ୍କର ଘନିଷ୍ଠତା ରହିଛି। ସେହିପରି ଟ୍ରମ୍ପ୍ ଫ୍ଲୋରିଡା ଗଭର୍ନର ରନ୍ ଡେସାଣ୍ଟିସ୍ଙ୍କୁ ପେଣ୍ଟାଗନର ମୁଖ୍ୟ ଭାବେ ମନୋନୀତ କରିବା ଦିଗରେ ବିଚାର କରୁଛନ୍ତି ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲକାନ ପାର୍ଟି ପ୍ରାର୍ଥୀ ଭାବରେ ଡେସାଣ୍ଟିସ୍ ଟ୍ରମ୍ପ୍ଙ୍କ ସହ ପ୍ରତିନ୍ଦ୍ୱନ୍ଦ୍ୱିତା କରିଥିଲେ।