Categories: Uncategorized

ଇଟାଲୀ ଆକାଶରେ ଏଲ୍‌ଭିସ୍‌

ରୋମ୍‌: କେନ୍ଦ୍ରୀୟ ଇଟାଲୀର ମଧ୍ୟ ଆକାଶରେ ଏକ ଲାଲ୍‌ ରଙ୍ଗର ବୃତ୍ତ(ଏଲ୍‌ଭିସ୍‌) ଦେଖିବାକୁ ମିଳିଛି। ଗତ ୨୭ ମାର୍ଚ୍ଚର ଏହି ଦୃଶ୍ୟ ଲୋକଙ୍କୁ ବେଶ୍‌ ଆଶ୍ଚର୍ଯ୍ୟ କରିଛି, ଯାହା ଏକ ବୈଜ୍ଞାନିକ କଳ୍ପନାଭିତ୍ତିକ ଚିତ୍ର ପରି ଦୃଶ୍ୟମାନ ହେଉଥିଲା। ଏକ ପର୍ବତର ପାଦଦେଶରେ ଥିବା ପୋସାଗ୍ନୋ ସହରରୁ ସ୍ଥାନୀୟ ଫଟୋଗ୍ରାଫର ଭଲ୍ଟର ବିନୋଟୋ ଏହି ଦୃଶ୍ୟକୁ ତାଙ୍କ କ୍ୟାମେରାରେ କଏଦ୍‌ କରିଥିଲେ। କେନ୍ଦ୍ରୀୟ ଇଟାଲୀ ଉପରେ ଏହି ରିଙ୍ଗ୍‌ ଦେଖାଦେଇଥିବାବେଳେ ଜ୍ୟୋତିର୍ବିଜ୍ଞାନୀମାନେ କହିଛନ୍ତି, ଏହି ବିଶାଳ ଲାଲ୍‌ ବୃତ୍ତର ବ୍ୟାସାର୍ଦ୍ଧ ଅତିକମ୍‌ରେ ୩୬୦ କିମି ହୋଇଥିବାବେଳେ ଏହା ଆଡ୍ରିଏଟିକ୍‌ ସମୁଦ୍ରକୁ ଆଚ୍ଛାଦିତ କରିଛି। ବୃତ୍ତଟି ୧୦୦ରୁ ୬୦୦ କିମି ମଧ୍ୟରେ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଇଟାଲୀ, ଫ୍ରାନ୍ସ, କ୍ରୋଏସିଆ, ଅଷ୍ଟ୍ରେଲିଆ ଏବଂ ହଙ୍ଗେରୀ ଆକାଶରେ ଦୃଶ୍ୟମାନ ହୋଇଥିବା ବିନୋଟୋ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ ଶେୟାର କରିଛନ୍ତି। ଏଥିସହ ସେ କହିଛନ୍ତି, ଏହା ଏକ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍‌ ପଲ୍ସ ଉତ୍ସର ଫଳାଫଳ। ତାଙ୍କଠାରୁ ପ୍ରାୟ ୨୮୫ କିମି ଦକ୍ଷିଣରେ ଥିବା ଆଙ୍କୋନାରେ ସୃଷ୍ଟ ଝଡ଼ରେ ବଜ୍ରପାତରୁ ଏଲ୍‌ଭିସ୍‌ ସୃଷ୍ଟି ହୋଇଥିବା ସେ ଦେଖିଥିଲେ। ଏଲ୍‌ଭିସ୍‌ ହେଉଛି ଏକ ସ୍ପିରିଟ୍‌, ଯାହା ବଜ୍ରପାତର ମେଘଠାରୁ ଉପରେ ବଡ଼ ଆକାରର ବୈଦ୍ୟୁତିକ ନିଷ୍କାସନ କରେ। ରିପୋର୍ଟ ଅନୁଯାୟୀ, ବଜ୍ରପାତ ଏତେ ବଡ଼ଧରଣର ଥିଲା, ଯାହାଫଳରେ ସେଥିରୁ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍‌ ପଲ୍ସ ସୃଷ୍ଟି ହୋଇଥିଲା। ବିଶେଷଜ୍ଞଙ୍କ ମୁତାବକ, ବଜ୍ରପାତ ୧୦ରୁ ୩୦ କିଲୋ ଆମ୍ପିୟର କରେଣ୍ଟ ଧାରଣ କରେ। ହେଲେ ଏହି ଏଲ୍‌ଭିସ୍‌ ତା’ଠାରୁ ୧୦ ଗୁଣା ଅଧିକ ଶକ୍ତିଶାଳୀ।