Categories: ଜାତୀୟ

ମାନେକା ଗାନ୍ଧୀଙ୍କୁ ଧମକ ଦେଲେ ଏଲଭିଶ ଯାଦବ

ନୂଆଦିଲ୍ଲୀ,୫।୧୧: ୟୁଟ୍ୟୁବର୍‌ ଏଲଭିଶ ଯାଦବ ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ମାନେକା ଗାନ୍ଧୀଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିବେ ବୋଲି ଧମକ ଦେଇଥିଲେ। ଏଲଭିସଙ୍କ ନାଁରେ ଉତ୍ତରପ୍ରଦେଶର ନୋଏଡାଠାରେ ସାପ ବିଷ ଯୋଗାଣ ମାମଲାରେ ମାମଲା ରଜୁ ହେବା ପରେ ସେ ଏହି ଧମକ ଦେଇଛନ୍ତି।
ଏକ ବ୍ଲଗ ପୋଷ୍ଟରେ ଏଲଭିଶ୍‌ ମାନେକା ଗାନ୍ଧୀଙ୍କୁ ତାଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଥିବା ଅଭିଯୋଗ କରିଛନ୍ତି ଏବଂ ଖୁବ ଶୀଘ୍ର ସତ୍ୟ ପ୍ରକାଶ ପାଇବ ବୋଲି କହିଛନ୍ତି। ସେ କହିଛନ୍ତି, ମାନେକା ଗାନ୍ଧୀ ମୋତେ ସାପ ଯୋଗାଣକାରୀଙ୍କ ମୁଖ୍ୟ ବୋଲି କହିଥିଲେ। ମୁଁ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିବି। ମୁଁ ତାଙ୍କୁ ଛାଡିବି ନାହିଁ। ବର୍ତ୍ତମାନ ମୁଁ ଏହି ସବୁ ବିଷୟରେ ସକ୍ରିୟ ହୋଇସାରିଛି। ପୂର୍ବରୁ ମୁଁ ଭାବୁଥିଲି ଯେ ମୋର ସମୟ ନଷ୍ଟ କରିବା ଉଚିତ୍‌ ନୁହେଁ, କିନ୍ତୁ ବର୍ତ୍ତମାନ ମୋର ଭାବମୂର୍ତ୍ତି ପ୍ରଭାବିତ ହେଉଛି।
ବିଗ ବସ ଓଟିଟି ୨ ବିଜେତା ଏଲଭିଶ ଯାଦବ କହିଛନ୍ତି, ଯେତେବେଳେ ପୋଲିସ ତଦନ୍ତ ଆରମ୍ଭ କରିବ, ମୁଁ ମଧ୍ୟ ମୁଖ୍ୟ ଭିଡିଓ ଶେୟାର କରିବି। ମୁଁ ଆପଣଙ୍କୁ ସବୁକିଛି ଦେଖାଇବି। ଖୁବ ଶୀଘ୍ର ଏକ ପ୍ରେସ ବିବୃତ୍ତି ମଧ୍ୟ ଜାରି କରାଯିବ ଯେ ଏଲଭିଶ ଯାଦବଙ୍କର ଏହି ମାମଲାରେ କୌଣସି ସମ୍ପୃକ୍ତି ନାହିଁ। ମୁଁ ଅତ୍ୟଧିକ ଆତ୍ମବିଶ୍ୱାସରେ ଏହା କହୁଛି। ଦୟାକରି ସେହି ଭିଡିଓ ଦେଖିବେ ଏବଂ ଏହାକୁ ଶେୟାର ବି କରିବେ।
ସୂଚନାଯୋଗ୍ୟ, ସେକ୍ଟର ୪୯ରେ ଏକ ରେଭ ପାର୍ଟି ସଂପର୍କରେ ନୋଏଡା ପୋଲିସ ଏଲଭିଶ ଯାଦବଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ରେଭ ପାର୍ଟିରେ ସାପ ବିଷ ବ୍ୟବହାର କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

Share