Advertisement

ଦୁର୍ବଳ ହେଉଛି ନଦୀବନ୍ଧ

ରଗଡି,୭ା୫(ଡି.ଏନ.ଏନ.): ରାଜସ୍ବ ସମ୍ପତ୍ତିର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ) ରାଜସ୍ବ ବିଭାଗକୁ କଡ଼ା ଚେତାବନୀ ଦେଇଛନ୍ତି। ଏହାର ବ୍ୟତିକ୍ରମ କରୁଥିବା ବାଲି ମାଫିଆ ଓ ଅଧିକାରୀମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନଜିର ରହିଛି। ହେଲେ ଯାଜପୁର ଜିଲାରେ ଏହାର ପ୍ରଭାବ ସେତେଟା ପଡୁ ନ ଥିବା ମନେ ହେଉଛି। ବେଆଇନ ଭାବେ ବାଲି, ମାଟି, ମୋରମ୍‌ ଏବଂ ମାଙ୍କଡା ପଥର ଆଦି ଉତ୍ତୋଳନ ହୋଇ ଚୋରା ଚାଲାଣ ହେଉଛି। ଏହାଦ୍ୱାରା ବିପୁଳ ରାଜସ୍ବ ହାନି ଘଟୁଛି। ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନରେ ଦିନକୁ ଦିନ ରାଜସ୍ବ ସମ୍ପତ୍ତିର ଚୋରି ବୃଦ୍ଧି ପାଇବାରେ ଲାଗିଛି। ଏହି ତହସିଲ ଅଧୀନ ବୈତରଣୀ ନଦୀର ସାଆଁଳା-୨ ଏବଂ ମକୁନ୍ଦପୁର-୨ ବାଲି ଘାଟରେ ନିଲାମ ଧାର୍ଯ୍ୟ ପରିମାଣଠାରୁ ଢେର ଅଧିକ ବାଲି ଉତ୍ତୋଳନ ହେଉଥିବା ଅଭିଯୋଗ ହେଉଛି। ସାଆଁଳା-୨ ବାଲି ଘାଟର ୧୨ ଏକର ଅଞ୍ଚଳରୁ ବାର୍ଷିକ ୨ କୋଟି ୨୨ ଲକ୍ଷ ୭୨ ହଜାର ୯୪୪ ଟଙ୍କାରେ ନିଲାମ ଦିଆଯାଇଛି। ହେଲେ ଲିଜ ଏରିଆ ବାହାରୁ ମନଇଚ୍ଛା ବେଆଇନ ଭାବେ ବାଲି ଉତ୍ତୋଳନ ହେଉଥିବା ଅଭିଯୋଗ ହୋଇଛି। ଏକାଧିକ ମେଶିନ ଲଗାଇ ଦିନରାତି ବାଲି ଚୋରାଚାଲାଣ ହେଉଥିବା ରଣପୁର ପଞ୍ଚାୟତବାସୀ କହିଛନ୍ତି। ସମାନ ଘଟଣା ମକୁନ୍ଦପୁର-୨ ଘାଟରେ ମଧ୍ୟ ଦେଖିବାକୁ ମିଳୁଛି। ଫଳରେ ବୈତରଣୀ ନଦୀପଠା ସଂଲଗ୍ନ ଗ୍ରାମଗୁଡ଼ିକର ରାସ୍ତା ବିପର୍ଯ୍ୟସ୍ତ ହେବା ସହିତ ନଦୀ ବନ୍ଧ ଦୁର୍ବଳ ହେବା ଘଟଣା ଲୋକଙ୍କୁ ଚିନ୍ତିତ କରିଛି। ବାଲି ମାଫିଆମାନଙ୍କ ବିରୋଧରେ ମୁହଁ ଖୋଲିଲେ ମାଡ଼ ଖାଇବା ସହିତ ହତ୍ୟା ଧମକ ମିଳୁଛି । ସୂଚନା ଅନୁଯାୟୀ ୨୦୨୧ରୁ ୨୦୨୬ ଯାଏ ୫ ବର୍ଷ ପାଇଁ ମୋଟ ୮ ଟି ବାଲିଘାଟକୁ ସରକାରୀ ଭାବେ ଲିଜ୍‌ ଦିଆଯାଇଛି। ହେଲେ ଆବଶ୍ୟକ ଅନୁଯାୟୀ ରାଜସ୍ବ ଆଦାୟ ହେଉ ନ ଥିବାରୁ ସରକାରଙ୍କ ବିପୁଳ ପରିମାଣରେ ରାଜସ୍ବ ହାନି ଘଟୁଛି। ପ୍ରତିଦିନ ଶହ ଶହ ଟ୍ରିପ୍‌ ବାଲି ଜିଲା ବାହାରକୁ ଚାଲାଣ କରି ଯେଉଁ ବିପୁଳ ଟଙ୍କା ରୋଜଗାର ହେଉଛି ସେଥିରୁ ସିଂହଭାଗ ଦୁର୍ନୀତିଖୋର ସରକାରୀ କର୍ମଚାରୀମାନଙ୍କ ପକେଟକୁ ଯାଉଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାଜସ୍ବ ବିଭାଗ କିମ୍ବା ଜିଲା ପ୍ରଶାସନ ପକ୍ଷରୁ କୌଣସି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଖୁବଶୀଘ୍ର ଏହାର ସ୍ଥାୟୀ ସମାଧାନ ନ ହେଲେ ନଦୀବନ୍ଧ ପାଇଁ ଆତଙ୍କିତ ଥିବା ଗ୍ରାମବାସୀ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share